Thu. Apr 16th, 2026

ନ୍ୟୁଜ ଡେକ୍ସ : ଜାତୀୟ ରାଜପଥରେ ଯାତ୍ରା କରୁଥିବା ଗାଡ଼ି ମାଲିକ ଓ ଚାଳକମାନଙ୍କ ପାଇଁ ଆସିଛି ଏକ ବଡ଼ ସୂଚନା। ଓଭରଲୋଡିଂ ସମସ୍ୟାକୁ ନିୟନ୍ତ୍ରଣ କରିବା ଓ ସଡ଼କ ସୁରକ୍ଷାକୁ ଶକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୧୫ ଏପ୍ରିଲ ୨୦୨୬ ଠାରୁ ସାରା ଦେଶରେ ଏକ ନୂଆ ଜରିମାନା ବ୍ୟବସ୍ଥା ଲାଗୁ କରିଛନ୍ତି।

ଏହି ନୂତନ ଗାଇଡଲାଇନ୍ ମାଧ୍ୟମରେ ଓଭରଲୋଡ୍ ବାହନଗୁଡ଼ିକ ଉପରେ କଡ଼ା ନଜର ରଖାଯିବା ସହ ଭାରି ଅର୍ଥଦଣ୍ଡ ଲାଗୁ କରାଯିବ।ନୂଆ ନିୟମ ଅନୁଯାୟୀ, ଗାଡ଼ିରେ ଲୋଡ୍ ହୋଇଥିବା ଓଜନ ଯଦି ନିର୍ଦ୍ଧାରିତ ସୀମାଠାରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଥାଏ, ତେବେ କୌଣସି ଅତିରିକ୍ତ ଜରିମାନା ଲାଗୁ ହେବ ନାହିଁ। କିନ୍ତୁ ଏହା ୧୦ରୁ ୪୦ ପ୍ରତିଶତ ମଧ୍ୟରେ ରହିଲେ, ବେସ୍ ଟୋଲ୍ ରେଟ୍‌ର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ଏହା ସହିତ, ଯଦି ଓଭରଲୋଡିଂ ୪୦ ପ୍ରତିଶତରୁ ଅଧିକ ହୁଏ, ତେବେ ବେସ୍ ଟୋଲ୍ ରେଟ୍‌ର ଚାରିଗୁଣା ଜରିମାନା ଆଦାୟ କରାଯିବ।ଏହି ବ୍ୟବସ୍ଥାକୁ କଡ଼ା ଭାବେ ଲାଗୁ କରିବା ପାଇଁ ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଛି।

ଦେଶର ବିଭିନ୍ନ ଟୋଲ୍ ପ୍ଲାଜାରେ Weigh-in-Motion ସିଷ୍ଟମ୍ ସ୍ଥାପନ କରାଯାଇଛି, ଯାହା ମାଧ୍ୟମରେ ଗାଡ଼ି ଚାଲୁଥିବା ସମୟରେ ହିଁ ତାହାର ଓଜନ ମାପାଯିବ। ଏହା ଫଳରେ ଚେକିଂ ପ୍ରକ୍ରିୟା ଆହୁରି ସୁବିଧାଜନକ ଓ ପାରଦର୍ଶୀ ହେବ। ଯେଉଁ ଟୋଲ୍ ପ୍ଲାଜାରେ ଏହି ସୁବିଧା ଉପଲବ୍ଧ ନାହିଁ, ସେଠାରେ ଓଭରଲୋଡ୍ ଜରିମାନା ଆଦାୟ କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ଏହା ସହିତ ସମସ୍ତ ପେମେଣ୍ଟ କେବଳ FASTag ମାଧ୍ୟମରେ କରାଯିବ। ନିୟମ ଭଙ୍ଗ କରୁଥିବା ଗାଡ଼ି ସମ୍ପର୍କିତ ସମସ୍ତ ତଥ୍ୟ ସିଧାସଳଖ ‘ବାହନ’ ପୋର୍ଟାଲରେ ଅପଲୋଡ୍ କରାଯିବ, ଯାହା ମାଧ୍ୟମରେ ଆଗାମୀ ଦିନରେ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସମ୍ଭବ ହେବ।ସଡ଼କ ଦୁର୍ଘଟଣା ହ୍ରାସ କରିବା ସହିତ ସଡ଼କର ଗୁଣମାନକୁ ରକ୍ଷା କରିବା ଏହି ନୂଆ ନିୟମର ମୂଳ ଉଦ୍ଦେଶ୍ୟ।

ଓଭରଲୋଡ୍ ବାହନ ଯୋଗୁଁ ସଡ଼କର କ୍ଷତି ସହ ଦୁର୍ଘଟଣାର ସମ୍ଭାବନା ବଢ଼ିଥାଏ, ଯାହାକୁ ରୋକିବା ପାଇଁ ସରକାର ଏହି କଡ଼ା ପଦକ୍ଷେପ ନେଇଛନ୍ତି।ତେଣୁ ଗାଡ଼ି ଚାଳକ ଓ ମାଲିକମାନଙ୍କୁ ଅନୁରୋଧ କରାଯାଇଛି ଯେ, ଗାଡ଼ିରେ ମାଲ ଲୋଡ୍ କରିବା ସମୟରେ ନିର୍ଦ୍ଧାରିତ ଓଜନ ସୀମାକୁ ମାନନ୍ତୁ ଏବଂ ନୂଆ ନିୟମକୁ ଅନୁସରଣ କରନ୍ତୁ। ଏହା ନିଜ ସୁରକ୍ଷା ସହ ସମସ୍ତଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବୋଲି ସରକାର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *