Thu. Apr 16th, 2026

ନ୍ୟୁଜ ଡେକ୍ସ : ପୁଣିଥରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ଶହେ ଡଲାର ପାର କରିଛି, ଯାହା ନେଇ ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି। ତୈଳଦରର ଏହି ଅଚାନକ ବୃଦ୍ଧି ପାଇଁ ବିଭିନ୍ନ ଦେଶର ଅର୍ଥନୀତି ଉପରେ ଚାପ ବଢିବାର ଆଶଙ୍କା ଜନ୍ମ ନେଇଛି। ବିଶେଷକରି ଭାରତ ଭଳି ଦେଶ, ଯେଉଁଠାରେ ଅଧିକାଂଶ କ୍ରୁଡ ଅଏଲ ଆମଦାନୀ କରାଯାଏ, ସେଠାରେ ଏହାର ପ୍ରଭାବ ସ୍ପଷ୍ଟ ଭାବେ ପଡିପାରେ।

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ପରିସ୍ଥିତି ଆହୁରି ତିବ୍ର ହୋଇଛି। ଆମେରିକା ଦ୍ୱାରା ଇରାନର ବନ୍ଦରଗୁଡିକୁ ଅବରୋଧ କରିବା ଘୋଷଣା ପରେ ତୈଳ ଯୋଗାଣ ନେଇ ଚିନ୍ତା ବଢିଛି। ହର୍ମୁଜ ପ୍ରଣାଳୀ ମାଧ୍ୟମରେ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ବ୍ୟବସାୟ ହୋଇଥାଏ, ଯାହାରେ ବାଧା ପଡ଼ିବାର ଆଶଙ୍କା ରହିଛି।ଏହି ପରିସ୍ଥିତିରେ ବ୍ରେଣ୍ଟ କ୍ରୁଡ ଦର ପ୍ରାୟ ୮ ପ୍ରତିଶତ ବଢି ବ୍ୟାରେଲ ପିଛା ୧୦୨ ଡଲାରକୁ ପହଞ୍ଚିଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି ଯେ, ଏହି ଅବରୋଧ ପରବର୍ତ୍ତୀ ସମୟରେ ତୈଳ ଦର ଆହୁରି ବଢିପାରେ ଏବଂ ଏହାର ପ୍ରଭାବ ଆମେରିକା ସହ ସମସ୍ତ ଦେଶର ଉପରେ ପଡିବ।

ତୈଳ ଦର ବୃଦ୍ଧି ପାଇଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢିବା ସହ ମୁଦ୍ରାସ୍ପିତୀ ବୃଦ୍ଧି ପାଇପାରେ। ଡଲାର ସମ୍ମୁଖୀନ ଟଙ୍କାର ମୂଲ୍ୟ କମିବା ଆଶଙ୍କା ମଧ୍ୟ ରହିଛି। ଏହି ଖବର ପ୍ରକାଶ ପାଇବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢିଛି।ଯୁଦ୍ଧଜନିତ ପରିସ୍ଥିତି ଓ ଅନ୍ତର୍ଜାତୀୟ ଅଶାନ୍ତି ଦ୍ୱାରା ବିଶ୍ୱ ବଜାରରେ ଏହି ପରିସ୍ଥିତି ଦେଖାଦେଇଛି। ତେବେ ତୈଳ ଦର କେବେ ହ୍ରାସ ପାଇବ ତାହାକୁ ନେଇ ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *