Thu. Apr 16th, 2026

ନ୍ୟୁଜ ଡେକ୍ସ : ଆଣ୍ଡାମାନ ସାଗରରେ ଏକ ଦୁଃଖଦ ଡଙ୍ଗା ଦୁର୍ଘଟନାରେ ପ୍ରାୟ ୨୫୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି। ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶୀ ନାଗରିକଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ବୁଡ଼ିଯାଇଥିବା ସୂଚନା ଜାତିସଂଘ ପକ୍ଷରୁ ମିଳିଛି।ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ (ୟୁଏନଏଚସିଆର) ଅନୁସାରେ, ଡଙ୍ଗାଟି ଦକ୍ଷିଣ ବାଂଲାଦେଶର ଟେକନାଫ ଅଞ୍ଚଳରୁ ମାଲେସିଆ ଅଭିମୁଖେ ଯାତ୍ରା କରୁଥିଲା।

ଏପ୍ରିଲ ୪ ତାରିଖରେ ବାଂଲାଦେଶ ଛାଡିଥିବା ଏହି ଡଙ୍ଗାରେ ପ୍ରାୟ ୨୮୦ ଜଣ ଯାତ୍ରୀ ଥିବା କୁହାଯାଉଛି।ପ୍ରବଳ ପବନ, ଅଶାନ୍ତ ସମୁଦ୍ର ଓ ଡଙ୍ଗାରେ ଅତ୍ୟଧିକ ଭିଡ଼ ଥିବାରୁ ଏହା ଓଲଟି ପଡ଼ିଥିବା ଆଶଙ୍କା କରାଯାଇଛି। ଘଟଣା ପରେ ଅନେକ ଲୋକ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଭୟ ରହିଛି।ଏହି ଘଟଣାକୁ ନେଇ ଜାତିସଂଘର ବିଭିନ୍ନ ଏଜେନ୍ସି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଶରଣାର୍ଥୀ ଶିବିରଗୁଡ଼ିକରେ ଅବସ୍ଥା ଦିନକୁ ଦିନ ଅଧିକ କଷ୍ଟଦାୟକ ହେଉଛି।

ଶିକ୍ଷା ଓ ଜୀବିକାର ସୁଯୋଗ ସୀମିତ ଥିବା ସହ ମ୍ୟାନମାରର ରାଖାଇନ୍ ରାଜ୍ୟରେ ଚାଲିଥିବା ହିଂସା ଲୋକମାନଙ୍କୁ ପଳାୟନ ପାଇଁ ବାଧ୍ୟ କରୁଛି। ଏହା ସହିତ ଚୋରା ଚାଲାଣ ନେଟୱାର୍କ ଦ୍ୱାରା ପ୍ରସାରିତ ଭୁଲ ସୂଚନା ଓ ମିଥ୍ୟା ପ୍ରତିଶ୍ରୁତି ଗରିବ ଓ ଅସହାୟ ଲୋକଙ୍କୁ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରା ପାଇଁ ପ୍ରଲୋଭିତ କରୁଥିବା ବୋଲି ଏଜେନ୍ସିଗୁଡ଼ିକ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *