ନ୍ୟୁଜ ଡେକ୍ସ : ଏପ୍ରିଲ ମାସ ଆରମ୍ଭ ହେଉଥିବା ସହିତ ରାଜ୍ୟରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଅନୁଭବ ହେଉଛି। ଉପକୂଳରୁ ଉପାନ୍ତ ସବୁଠି ଡହଡହ ଖରା ଲୋକଙ୍କୁ କ୍ଲାନ୍ତ କରିଦେଉଛି। ଆଜିଠାରୁ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୯ଟି ଜିଲ୍ଲାରେ ପାରା ୪୦ ଡିଗ୍ରୀ ସେଲସିଅସ୍ ଉପରେ ରେକର୍ଡ ହୋଇଛି।
ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ। ଏହା ସହ ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ପଣା ସଂକ୍ରାନ୍ତି ପରଠାରୁ ତାତିର ପ୍ରକୋପ ଆହୁରି ବେଶି ବୃଦ୍ଧି ପାଇବାର ସଙ୍କେତ ମିଳିଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି ତୀବ୍ର ଗରମରୁ ରାହାତ ପାଇବେ ନାହିଁ ବୋଲି ସତର୍କ କରାଯାଇଛି।ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଜନିତ ବିପଦକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟ୍ ଓେଭ୍ ସତର୍କତା ଜାରି କରାଯାଇଛି।
ଆଜି ଉପକୂଳ ଓଡ଼ିଶାର ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭବ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓାର୍ଣ୍ଣିଂ ଜାରି ହୋଇଛି। ସେହିପରି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଉଷ୍ମ ଓ ଆଦ୍ର ପାଗ ରହିବା ସହ ଗରମ ବଢ଼ିବାର ଆଶଙ୍କା ରହିଛି। ଲୋକମାନେ ଅତ୍ୟାବଶ୍ୟକ ଛଡ଼ା ଦିନରେ ବାହାରୁ ନ ଯିବାକୁ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

