Sat. Apr 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ତାତିର ପ୍ରକୋପ ବଢ଼ିଚାଲିଛି। ଓଡ଼ିଶା ଏବେ ଭୟଙ୍କର ଗ୍ରୀଷ୍ମ ତାପରେ ଜଳୁଥିବାବେଳେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗୁରୁତର ହେବାର ସଙ୍କେତ ମିଳିଛି। ପାରଦ ୪୩ ଡିଗ୍ରୀ ଉପରେ ରହିଥିବାବେଳେ ଶୀଘ୍ର ୪୫ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି।ପଶ୍ଚିମ ଓଡ଼ିଶାରେ ତାପମାତ୍ରାର ତୀବ୍ରତା ସର୍ବାଧିକ ରହିଛି।

ଟିଟିଲାଗଡ଼ରେ ଗତକାଲି ସର୍ବୋଚ୍ଚ ୪୩.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି, ଯାହାକି ଏହି ଋତୁରେ ଏକ ଉଚ୍ଚ ସ୍ତର। ଏହା ସହ ଅନ୍ୟ ୧୦ଟି ସ୍ଥାନରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଜଣାପଡ଼ିଛି। ଟିଟିଲାଗଡ଼ର ତୀବ୍ର ତାତି ପାଇଁ ଏହାକୁ ଲୋକମାନେ “ତତଲାଗଡ଼” ବୋଲି କହିବାକୁ ଲାଗିଛନ୍ତି। ମୌସମ ବିଭାଗ ଅନୁମାନ କରିଛି ଯେ ୨୨ ତାରିଖ ପର୍ଯ୍ୟନ୍ତ ଏହି ତାତିରୁ ନିସ୍ତାର ମିଳିବ ନାହିଁ। ଆଗାମୀ ଦିନଗୁଡ଼ିକରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପୂର୍ବାନୁମାନ ରହିଛି।ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ଗରମର ପ୍ରଭାବ କମ ନୁହେଁ।

ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ଅନୁଗୁଳ ଭଳି ଅଞ୍ଚଳରେ ୪୦ ରୁ ୪୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପାରଦ ଉଠିପାରେ।୧୮ ଓ ୧୯ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି।

ଏହା ସହ ଉପକୂଳ ଅଞ୍ଚଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବାରୁ ଲୋକମାନେ ବହୁତ କଷ୍ଟ ଅନୁଭବ କରୁଛନ୍ତି। ତାତିର ଏହି ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଦିନର ତୀବ୍ର ଧୂପରୁ ଦୂରେ ରହିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ଅତ୍ୟାବଶ୍ୟକ କାମ ଛଡ଼ା ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *