Sat. Apr 18th, 2026

ନ୍ୟୁଜ ଡେକ୍ସ : ଆଜି ଏପ୍ରିଲ ୧୮ ତାରିଖରେ ସମଗ୍ର ବିଶ୍ବରେ ବିଶ୍ବ ଐତିହ୍ୟ ଦିବସ ପାଳନ କରାଯାଉଛି। ଦେଶ ଓ ବିଦେଶର ଅନେକ ଐତିହ୍ୟସ୍ଥଳୀ ଆମ ପୂର୍ବଜମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ମୂକ ସାକ୍ଷୀ ଭାବେ ଦଣ୍ଡାୟମାନ ରହିଛି। ଏହି ଐତିହ୍ୟଗୁଡ଼ିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରତିବର୍ଷ ଏହି ଦିବସକୁ ଗୁରୁତ୍ୱ ସହ ପାଳନ କରାଯାଏ।

ପ୍ରତିବର୍ଷ ଏକ ବିଶେଷ ଥିମ୍ ଆଧାରରେ ଏହି ଦିବସ ପାଳନ ହୋଇଥାଏ। ଚଳିତ ବର୍ଷର ଥିମ ହେଉଛି ଦ୍ୱନ୍ଦ୍ୱ ଏବଂ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଜୀବନ୍ତ ଐତିହ୍ୟ ପାଇଁ ଜରୁରୀକାଳୀନ ପ୍ରତିକ୍ରିୟା। ଏହି ଥିମ ମାଧ୍ୟମରେ ବିପଦ ସମୟରେ ଐତିହ୍ୟ ସ୍ଥଳୀମାନଙ୍କ ସୁରକ୍ଷା ଓ ସଂରକ୍ଷଣର ଆବଶ୍ୟକତାକୁ ଉଜାଗର କରାଯାଉଛି।୧୯୮୨ ମସିହାରେ ଏହି ଦିନଟି ପ୍ରଥମେ ଟ୍ୟୁନିସିଆରେ ଇଣ୍ଟରନ୍ୟାସନାଲ କାଉନସିଲସ ଅଫ ମନ୍ୟୁମେଣ୍ଟସ ଆଣ୍ଡ ସାଇଟସ ଦ୍ୱାରା ପାଳନ କରାଯାଇଥିଲା। ପରେ ୧୯୮୩ ମସିହାରୁ ପ୍ରତିବର୍ଷ ଏପ୍ରିଲ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ନିୟମିତ ଭାବେ ପାଳନ କରାଯାଉଛି।

ଭାରତରେ ଅନେକ ପ୍ରାଚୀନ ସ୍ମାରକ ଓ ଐତିହ୍ୟସ୍ଥଳୀ ରହିଛି, ଯାହାଙ୍କର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା କରାଯାଉଛି। ତଥାପି ଗତ କିଛି ବର୍ଷ ଧରି ଅନେକ ଐତିହ୍ୟସ୍ଥଳୀ ନିଖୋଜ ହେବା, କଳାକୃତି ଚୋରି ହେବା ଓ କେତେକ ସ୍ଥାନରେ ଜାଣିଶୁଣି କ୍ଷତି ସୃଷ୍ଟି କରାଯାଇଥିବା ଘଟଣା ଚିନ୍ତା ବଢ଼ାଇଛି।ଏହି ପରିସ୍ଥିତିରେ ବିଶ୍ବ ଐତିହ୍ୟ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଓ ସମସ୍ତଙ୍କୁ ଏହି ଐତିହ୍ୟ ସ୍ଥଳୀମାନଙ୍କ ସୁରକ୍ଷା ପାଇଁ ଆଗୁଆ ହେବାକୁ ପ୍ରେରିତ କରିବା।

Leave a Reply

Your email address will not be published. Required fields are marked *