Sun. Apr 26th, 2026

ନ୍ୟୁଜ ଡେକ୍ସ : ଆସନ୍ତା ଜୁଲାଇ ୧୬ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ଚଳଚଞ୍ଚଳ ପରିସ୍ଥିତି ଦେଖିବାକୁ ମିଳୁଛି। ଶ୍ରୀନଅର ସମ୍ମୁଖରେ ଅବସ୍ଥିତ ରଥଖଳାରେ ତିନୋଟି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବିଶ୍ୱକର୍ମା ମହାରଣାମାନେ ପାରମ୍ପରିକ ପ୍ରଣାଳୀରେ ଏହି ଦୈବୀ କାର୍ଯ୍ୟକୁ ଆଗେଇ ନେଉଛନ୍ତି।

ବର୍ତ୍ତମାନ ତୁମ୍ବ ନିର୍ମାଣ କାମ ଉପରେ ଗୁରୁତ୍ୱ ଦିଆଯାଇଛି। ତିନିଟି ରଥ ପାଇଁ ମୋଟ ୪୨ଟି ତୁମ୍ବ ଗୋଲେଇ କାମ ସଂପୂର୍ଣ୍ଣ ହୋଇସାରିଛି। ଆଜି ତୁମ୍ବରେ ବିନ୍ଧ ଅନୁକୂଳ ବିଧି ସମ୍ପନ୍ନ ହୋଇଛି। ବିଶ୍ୱକର୍ମା ମହାରଣାମାନେ ପାରମ୍ପରିକ ରୀତିନୀତି ଅନୁସାରେ ନଡ଼ିଆ ଓ ମହାର୍ଦ୍ଧ ରଖି ଏହି ବିଧିକୁ ସମ୍ପନ୍ନ କରିଥିଲେ।ତିନୋଟି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ଦ୍ୱାରା ବିନ୍ଧ ଅନୁକୂଳ ସମ୍ପନ୍ନ ହେବା ପରେ ଆଜିଠାରୁ ବିନ୍ଧ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ମହାରଣା ସେବକମାନେ ସୂତା ବାଡିଆ କାର୍ଯ୍ୟ ଶେଷ କରିଥିଲେ, ଯାହାରେ ତୁମ୍ବରେ ବିନ୍ଧ ଖୋଦେଇ ପାଇଁ ମାପ ଅନୁସାରେ ଦାଗ ଦିଆଯାଇଥିଲା।ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ତିନିଟି ରଥର ଅଖ ଓ ଚକ ଡେରା ବିଧି ସମ୍ପନ୍ନ ହେବାକୁ ଥିବା ସୂଚନା ମିଳିଛି।

ଏହା ସହିତ ନୃସିଂହ ଚତୁର୍ଦ୍ଦଶୀରୁ ଗୁଜ ଅନୁକୂଳ କାର୍ଯ୍ୟ ଆରମ୍ଭ ହେବ। ଏହି ପର୍ବରେ ଭୋଇ ସେବକମାନେ ଯନ୍ତାଗାଡ଼ ପ୍ରସ୍ତୁତି କାମକୁ ଆଗେଇ ନେବେ।ପରବର୍ତ୍ତୀ ପର୍ଯ୍ୟାୟରେ ଯନ୍ତାଗାଡ଼ରେ ତୁମ୍ବ ବିନ୍ଧ ସହ ଅର ସଂଯୋଗ କାର୍ଯ୍ୟ କରାଯିବ। ଏହି ସମସ୍ତ ପାରମ୍ପରିକ ପ୍ରକ୍ରିୟା ମଧ୍ୟରେ ରଥ ନିର୍ମାଣ ଏକ ପବିତ୍ର ଓ ଶୃଙ୍ଖଳିତ ଧାରାରେ ଆଗେଇ ଚାଲିଛି। ରଥଯାତ୍ରା ପାଇଁ ପ୍ରସ୍ତୁତି ଦେଖି ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *