ନ୍ୟୁଜ ଡେକ୍ସ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଜର୍ଜରିତ ଉପକୂଳ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶନିବାରଠାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା କିଛି ହ୍ରାସ ପାଇଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ଏହାର ପ୍ରଭାବ ସ୍ପଷ୍ଟ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ୩୪.୪ ଡିଗ୍ରୀ ସେଲସିୟସ୍, ବାଲେଶ୍ୱରରେ ୩୪.୮ ଡିଗ୍ରୀ, ପାରାଦୀପରେ ୩୧.୨ ଡିଗ୍ରୀ, ଗୋପାଳପୁରରେ ୩୦.୮ ଡିଗ୍ରୀ ଓ ପୁରୀରେ ୩୧.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।
ଏହା ସତ୍ତ୍ୱେ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଞ୍ଚଳରେ ଗ୍ରୀଷ୍ମର ପ୍ରକୋପ ଅବିରତ ଜାରି ରହିଛି। ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୨.୮ ଡିଗ୍ରୀ, ହୀରାକୁଦ ଓ ରାଉରକେଲାରେ ୪୨.୪ ଡିଗ୍ରୀ ସେଲସିୟସ୍ ରହିଛି। ଏହାରୁ ପଶ୍ଚିମ ଓଡ଼ିଶାରେ ଲୋକମାନେ ଅସହ୍ୟ ତାତିରେ ପିଡ଼ିତ ହେଉଛନ୍ତି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିପାରେ। କିନ୍ତୁ ଉପକୂଳ ଅଞ୍ଚଳରେ ଆର୍ଦ୍ରତା ବଢ଼ିବାରୁ ଗୁଳୁଗୁଳି ଅନୁଭୂତ ହେବା ସମ୍ଭାବନା ରହିଛି।ଏପ୍ରିଲ ୨୬ ଓ ୨୭ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିବାକୁ ଥିବାବେଳେ ଅପରାହ୍ନ ଓ ସନ୍ଧ୍ୟା ସମୟରେ ଘଡ଼ଘଡ଼ି, ବିଜୁଳି ସହ କାଳବୈଶାଖୀ ବର୍ଷା ଓ ଝଡ଼ପବନ ହେବାର ସମ୍ଭାବନା ରହିଛି। ଏପ୍ରିଲ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ସହିତ ଅନେକ ଜିଲ୍ଲାରେ ୪୦-୫୦ କିମି ବେଗରେ ପବନ ସହ ଘଡ଼ଘଡ଼ି ବର୍ଷା ହେବାକୁ ଆଲର୍ଟ ଜାରି କରାଯାଇଛି।
ମେ’ ୧ ଓ ୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ସମେତ ରାଜ୍ୟର ଅନେକ ଅଞ୍ଚଳରେ ୩୦-୪୦ କିମି ବେଗରେ ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି।ଏହା ସହିତ ଏପ୍ରିଲ ୨୬ ରୁ ୩୦ ଯାଏଁ ଉତ୍ତର ଉପକୂଳ ସମୁଦ୍ରରେ ୪୫-୫୫ କିମି ବେଗରେ ପବନ ବହିବା ସହ କେବେ କେବେ ୭୦ କିମି ପର୍ଯ୍ୟନ୍ତ ବେଗ ବୃଦ୍ଧି ପାଇପାରେ। ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ କଡ଼ା ସତର୍କବାଣୀ ଜାରି କରିଛି।

