Sun. Apr 26th, 2026

ନ୍ୟୁଜ ଡେକ୍ସ : ଆଜି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଅବସରରେ ରାଜ୍ୟରେ ଭକ୍ତିଭାବ ଓ ଗମ୍ଭୀରତାର ସହିତ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖରେ ଏଜି ଛକରେ ଅବସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ଅବସରରେ ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଶ୍ରୀମତୀ ସୁରମା ପାଢ଼ୀ ଓ ବ୍ରହ୍ମପୁରର ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେମାନେ ମହାରାଜାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରି ତାଙ୍କ ଜୀବନ ଓ କାର୍ଯ୍ୟରୁ ପ୍ରେରଣା ନେବାକୁ ଆହ୍ୱାନ ଜଣାଇଥିଲେ।ପରେ ପାରଳା ଗଜପତି ବିକାଶ ମଞ୍ଚର କର୍ମକର୍ତ୍ତାମାନେ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ ଓ ସାଧାରଣ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମଗ୍ର ପରିବେଶ ଶ୍ରଦ୍ଧା ଓ ସମ୍ମାନରେ ଭରିଯାଇଥିଲା।ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଭୂମିକା ଅପରିସୀମ।

ନବଉତ୍କଳର ନିର୍ମାତା ଭାବେ ପରିଚିତ ଏହି ମହାନ ନେତା ତାଙ୍କ ଦୂରଦୃଷ୍ଟି, ପ୍ରଜାନୁରଞ୍ଜନ ଶାସନ ଓ ଦୃଢ଼ ସଙ୍କଳ୍ପ ଦ୍ୱାରା ଓଡ଼ିଶାର ଇତିହାସରେ ଅମର ହୋଇ ରହିଛନ୍ତି।ତାଙ୍କ ଅବଦାନ କେବଳ ଏକ ରାଜ୍ୟ ଗଠନରେ ସୀମିତ ନୁହେଁ, ବରଂ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାକୁ ସୁଦୃଢ଼ କରିବାରେ ମଧ୍ୟ ଏହା ଏକ ମୂଳ ଶକ୍ତି ଭାବେ କାମ କରିଛି। ଏହି ଜୟନ୍ତୀ ଅବସରରେ ସମସ୍ତଙ୍କ ମନରେ ତାଙ୍କ ଆଦର୍ଶ ଓ ମୂଲ୍ୟବୋଧ ପୁନର୍ଜୀବିତ ହୋଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *