ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ, କ୍ୟାଡର ପୁନର୍ଗଠନ ଏବଂ ସ୍ବଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ କରୁଥିବା ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ୍ (ଓମସା) ପୁଣିଥରେ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି। ଯଦି ଆସନ୍ତା ଏକ ମାସ ମଧ୍ୟରେ ଡାକ୍ତରମାନଙ୍କ ଦାବି ପୂରଣ ହେବ ନାହିଁ, ତେବେ ସମସ୍ତ ଡାକ୍ତର ସାମୂହିକ ଭାବେ ଇସ୍ତଫା ଦେବେ ବୋଲି ଓମସା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହାପୂର୍ବରୁ ଜାନୁଆରି ମାସରେ ଓମସା ଡାକ୍ତରମାନେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ତୀବ୍ର କରିଥିଲେ। ସେତେବେଳେ ସରକାର ପକ୍ଷରୁ ଚାରି ମାସ ମଧ୍ୟରେ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନେଇଯାଇନଥିବାରୁ ଡାକ୍ତରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଆଜି ଭୁବନେଶ୍ୱରର ୟୁନିଟ-୬ ରେ ଥିବା ଓମସା ଭବନରେ ଅନୁଷ୍ଠିତ ସାଧାରଣ ସଭାରେ ଏହି କଠୋର ନିଷ୍ପତ୍ତି ନିଆଯାଇଛି। ସଭାରେ ଓମସାର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜିବ କୁମାର ପ୍ରଧାନ ସହ ବହୁ ସଂଖ୍ୟକ ଡାକ୍ତର ଉପସ୍ଥିତ ଥିଲେ।ଓମସା ପକ୍ଷରୁ କୁହାଯାଇଛି ଯେ, ଯଦି ସରକାର ତୁରନ୍ତ ସଠିକ୍ ପଦକ୍ଷେପ ନେଇ ଦାବିଗୁଡ଼ିକ ପୂରଣ କରିନହେଲେ, ତେବେ ଏହା ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତର ପ୍ରଭାବ ପକାଇପାରେ।

