ନ୍ୟୁଜ ଡେକ୍ସ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟ ଅଫିସ୍ କାମ ପୂର୍ବପରି ଜାରି ରହିବ।ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଏବର୍ଷ ମେ ୬ରୁ ଖରାଛୁଟି ଆରମ୍ଭ ହେବାକୁ ଥିଲା, କିନ୍ତୁ ଅତ୍ୟଧିକ ଗରମ ଅବସ୍ଥା ଜାରି ରହିବାରୁ ସରକାର ଏହାକୁ ଆଗୁଆ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ସୂଚନା ଜାରି କରାଯାଇଛି।ଖରାଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ଯୋଡ଼ି ରଖିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାର ଅଧୀନରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମନୋରଞ୍ଜନଭିତ୍ତିକ ଶିକ୍ଷାଦାନ ପ୍ରଦାନ କରାଯିବ। ପ୍ରତ୍ୟେକ ବିଦ୍ୟାଳୟରେ ଶ୍ରେଣୀଭିତ୍ତିକ ଅଭିଭାବକ ହ୍ୱାଟ୍ସଆପ୍ ଗ୍ରୁପ୍ ଖୋଲାଯାଇଛି। ଏହା ମାଧ୍ୟମରେ ସପ୍ତାହକୁ ଏକରୁ ତିନିଥର ପାଠ୍ୟ ବିଷୟବସ୍ତୁ ଓ ଶିକ୍ଷାମୂଳକ ଭିଡିଓ ସେୟାର କରାଯିବ। ଯେଉଁ ଅଭିଭାବକଙ୍କ ପାଖରେ ସ୍ମାର୍ଟଫୋନ୍ ବା ହ୍ୱାଟ୍ସଆପ୍ ସୁବିଧା ନାହିଁ, ସେମାନଙ୍କୁ ଏସଏମଏସ୍ ଓ ଆଇଭିଆରଏସ୍ ମାଧ୍ୟମରେ ପାଠ୍ୟ ସୂଚନା ପ୍ରଦାନ କରାଯିବ।
ସ୍କୁଲ ଖୋଲିବା ପୂର୍ବରୁ ପିଲାମାନଙ୍କୁ ପ୍ରିଣ୍ଟେଡ୍ ହଲିଡେ ହୋମ୍ୱାର୍କ ସିଟ୍ ମଧ୍ୟ ଦିଆଯିବ।ଏହି ସବୁ ବ୍ୟବସ୍ଥା ସତ୍ୱେ ରାଜ୍ୟରେ ପାଠ୍ୟପୁସ୍ତକ ଅଭାବ ନେଇ ଚିନ୍ତା ଦେଖାଦେଇଛି। ଶିକ୍ଷାବର୍ଷ ଆରମ୍ଭ ହୋଇ ୨୫ ଦିନ ହୋଇଥିଲେ ମଧ୍ୟ ଅନେକ ବିଦ୍ୟାଳୟରେ ପାଠ୍ୟପୁସ୍ତକ ପହଞ୍ଚିପାରିନାହିଁ। ଅନେକ ସ୍କୁଲରେ ବହି ଅସମ୍ପୂର୍ଣ୍ଣ ଭାବେ ଆସିଥିବାରୁ ଶିକ୍ଷକମାନେ ଦ୍ବନ୍ଦ୍ୱରେ ପଡ଼ିଛନ୍ତି।ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପରିବର୍ତ୍ତନ ହୋଇଥିବାବେଳେ ବହି ଛପାରେ ବିଳମ୍ବ ହେବା ଯୋଗୁଁ ଏହି ସମସ୍ୟା ଦେଖାଦେଇଛି। ବହି ବିନା ପିଲାମାନେ କିପରି ପଢ଼ିବେ ସେନେଇ ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।

