ନ୍ୟୁଜ ଡେକ୍ସ : ଓଡ଼ିଶାର ଜନସଂଖ୍ୟା ଗଠନରେ ଆସୁଥିବା ପରିବର୍ତ୍ତନ ଏବଂ ବୟସ୍କ ତଥା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆବଶ୍ୟକତାକୁ ମଧ୍ୟନଜରରେ ରଖି ଭୁବନେଶ୍ବରରେ ପ୍ରସ୍ତାବିତ ‘ଓଡ଼ିଶା ରିସୋର୍ସ ସେଣ୍ଟର ଫର ଏଜିଙ୍ଗ ଆଣ୍ଡ ଦିବ୍ୟାଙ୍ଗଜନ’ (ଓର୍କାଡ୍) ଉପରେ ବୁଧବାର ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଆୟୋଜିତ ହୋଇଥିଲା।ଏହି କେନ୍ଦ୍ରକୁ ଏକ ରାଜ୍ୟସ୍ତରୀୟ ଉତ୍କର୍ଷ କେନ୍ଦ୍ର ଭାବେ ପରିକଳ୍ପନା କରାଯାଇଥିବାବେଳେ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସୁଗମ୍ୟତା ବୃଦ୍ଧି ସହ ସମନ୍ୱିତ ସେବା ପ୍ରଦାନରେ ଏହା ଏକ ରଣନୀତିକ ଆଧାର ଭାବେ କାମ କରିବ ବୋଲି ଆଲୋଚନା ହୋଇଥିଲା।
‘ବିକଶିତ ଓଡ଼ିଶା ୨୦୩୬’ ଏବଂ ୨୦୪୭ ଲକ୍ଷ୍ୟ ପୂରଣରେ ଏହି କେନ୍ଦ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ସହ ତଥ୍ୟ ଭିତ୍ତିକ ନୀତି ଗଠନ ଓ ପ୍ରଶାସନିକ କ୍ଷମତା ବୃଦ୍ଧିରେ ଭୂମିକା ନେବ।ଏସଏସଇପିଡି ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ, ଜନସଂଖ୍ୟାରେ ଆସୁଥିବା ପରିବର୍ତ୍ତନ ଫଳରେ ଉଦ୍ଭବ ହେଉଥିବା ଜଟିଳ ଆବଶ୍ୟକତାଗୁଡ଼ିକୁ ମେଟାଇବା ପାଇଁ ଏପରି ଏକ ସମନ୍ୱିତ ବ୍ୟବସ୍ଥା ଅତ୍ୟାବଶ୍ୟକ। ବିଭାଗୀୟ ନିର୍ଦେଶିକା ପାରୁଲ ପଟାୱରୀ କହିଥିଲେ ଯେ, ଓର୍କାଡ୍ ଏକ ଜ୍ଞାନ ଓ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରିବ।
ଏହି ପରାମର୍ଶ କର୍ମଶାଳାରେ ସ୍ୱାସ୍ଥ୍ୟ, ଗଣଶିକ୍ଷା, ଉଚ୍ଚଶିକ୍ଷା, ମିଶନ ଶକ୍ତି, ପଞ୍ଚାୟତିରାଜ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରି ନିଜ ମତ ରଖିଥିଲେ।ଜାତିସଂଘ ଜନସଂଖ୍ୟା ପାଣ୍ଠି ପକ୍ଷରୁ ଓର୍କାଡ୍ର ପ୍ରସ୍ତାବିତ ରୂପରେଖ ଉପସ୍ଥାପନ କରାଯାଇଥିଲା, ଯାହା ଆଗାମୀ ଦିନରେ ଏହି କେନ୍ଦ୍ରର କାର୍ଯ୍ୟପଦ୍ଧତିକୁ ଆକାର ଦେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

