Thu. Apr 30th, 2026

ନ୍ୟୁଜ ଡେକ୍ସ : ମହିଳା ସଂରକ୍ଷଣ ବିଧେୟକ ନାମରେ ବିଜେପି ସରକାର ମହିଳାଙ୍କୁ ଭ୍ରମିତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ଅଧ୍ୟକ୍ଷା ମୀନାକ୍ଷୀ ବାହିନୀପତି। ସରକାରଙ୍କ ଅସଲ ମୁହାଁ ଖୋଲିବା ପାଇଁ ଗୁରୁବାର ଦିନ ବିଧାନସଭା ଘେରାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁଯାୟୀ, ଅପରାହ୍ଣ ୪ଟା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫ ହଜାରରୁ ଅଧିକ ମହିଳା କଂଗ୍ରେସ କର୍ମୀ ବିଧାନସଭା ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ।

ଏହି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ନୀତି ଓ ଦାବିଗୁଡ଼ିକୁ ପ୍ରକାଶ କରିବା ଲକ୍ଷ୍ୟ ରହିଛି।ମୀନାକ୍ଷୀ ବାହିନୀପତି କହିଛନ୍ତି ଯେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅବଦାନ। ୨୦୨୩ ମସିହାରେ କେନ୍ଦ୍ର ସରକାର ସଂସଦରେ ମହିଳା ସଂରକ୍ଷଣ ବିଧେୟକ ଆଣିଥିଲେ ଏବଂ କଂଗ୍ରେସ ସହ ଅନ୍ୟାନ୍ୟ ବିରୋଧୀ ଦଳ ଏହାକୁ ସମର୍ଥନ କରିଥିଲେ, ଯାହା ଫଳରେ ବିଧେୟକ ପାରିତ ହୋଇଥିଲା।ସେ ଆହୁରି କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯିବା କଥା ଥିଲେ ମଧ୍ୟ, ସରକାର ତାହା କରିନଥିଲେ। ପୁଣି ୨୦୨୬ରେ ଏହି ବିଧେୟକକୁ ସଂସଦରେ ଆଣି ମହିଳାଙ୍କୁ ଭ୍ରମିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଉପରେ ଆଲୋଚନା ପାଇଁ ଡାକାଯାଇଥିବା ସ୍ୱତନ୍ତ୍ର ବିଧାନସଭା ଅଧିବେଶନକୁ ମଧ୍ୟ ସେ ଅନାବଶ୍ୟକ ବୋଲି କହିଛନ୍ତି। ବିରୋଧୀଙ୍କୁ ଦୋଷାରୋପ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ତାଙ୍କ ଅଭିଯୋଗ।ଏହି ପରିପ୍ରେକ୍ଷିତରେ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରି ତୀବ୍ର ପ୍ରତିବାଦ କରାଯିବ ବୋଲି ମୀନାକ୍ଷୀ ବାହିନୀପତି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *