ନ୍ୟୁଜ ଡେକ୍ସ : ଦୃଢ଼ ପ୍ରତିଜ୍ଞା ଓ ଅଦମ୍ୟ ଇଚ୍ଛାଶକ୍ତି ଥିଲେ କୌଣସି ବାଧା ବଡ଼ ନୁହେଁ ବୋଲି ପ୍ରମାଣ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ଛାତ୍ରୀ ଲକ୍ଷ୍ମୀ ଖିମୁଣ୍ଡୁ । ଜନ୍ମରୁ ଉଭୟ ହାତ ଅକାମୀ ଥିଲେ ମଧ୍ୟ ସେ ପାଦରେ ଲେଖି ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରି ସମସ୍ତଙ୍କ ପାଇଁ ପ୍ରେରଣା ହୋଇଛନ୍ତି ।
ସିନ୍ଧ୍ରିମାଲର ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀ ୨୦୨୬ ମସିହାରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡିଶା ପକ୍ଷରୁ ଆୟୋଜିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଯୋଗ ଦେଇଥିଲେ । ସେ ଡି ଗ୍ରେଡ୍ ସହିତ ଉତ୍ତୀର୍ଣ୍ଣ ହୋଇ ନିଜ ଜୀବନରେ ଏକ ମହତ୍ୱପୂର୍ଣ୍ଣ ସଫଳତା ଲାଭ କରିଛନ୍ତି ।ପରୀକ୍ଷା ସମୟରେ ଲେଖକ/ଲେଖିକା ସୁବିଧା ମିଳିଥିଲେ ମଧ୍ୟ, ଲକ୍ଷ୍ମୀ ନିଜେ ପାଦ ସାହାଯ୍ୟରେ ଲେଖି ପରୀକ୍ଷା ଦେବାକୁ ବାଛିଥିଲେ । ତାଙ୍କର ଏହି ନିଷ୍ପତ୍ତି ତାଙ୍କ ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ପ୍ରତିକ ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।ଲକ୍ଷ୍ମୀ ବର୍ଷରୁ ବର୍ଷ ଧରି ନିରନ୍ତର ଅଭ୍ୟାସ ମାଧ୍ୟମରେ ପାଦରେ ଲେଖିବାର କୌଶଳ ଅର୍ଜନ କରିଥିଲେ ।
ତାଙ୍କ ପାଇଁ ଅକ୍ଷମତା କେବେ ବାଧା ହୋଇନଥିଲା, ବରଂ ଏହାକୁ ସେ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆଗକୁ ବଢ଼ିଥିଲେ । ତାଙ୍କ ସଫଳତା ଶିକ୍ଷକ, ଛାତ୍ରଛାତ୍ରୀ ଓ ସମାଜର ଅନେକ ଲୋକଙ୍କୁ ଅନୁପ୍ରେରିତ କରିଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏହାକୁ ସମଗ୍ର ଶିକ୍ଷା ବ୍ୟବସ୍ଥା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।ମାଟ୍ରିକ ଫଳାଫଳ ପ୍ରକାଶ ପରେ ଲକ୍ଷ୍ମୀଙ୍କ ସଫଳତା ତାଙ୍କ ଅଞ୍ଚଳରେ ଆନନ୍ଦର ଲହରୀ ସୃଷ୍ଟି କରିଛି । ସାହସ, ସ୍ଥିରତା ଓ ଦୃଢ଼ ଇଚ୍ଛାଶକ୍ତିର ଏହି କାହାଣୀ ଆଜି ସମସ୍ତଙ୍କ ପାଇଁ ଏକ ଜୀବନ୍ତ ପ୍ରେରଣା ହୋଇ ଉଭା ହୋଇଛି ।

