Sun. May 3rd, 2026

ନ୍ୟୁଜ ଡେକ୍ସ : ମୌସୁମୀ ଆସିବା ପୂର୍ବରୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସଙ୍କେତ ମିଳୁଛି । ଏହାକୁ ନେଇ ଓଡ଼ିଶା ସହିତ ଉପକୂଳ ଅଞ୍ଚଳରେ ସତର୍କତା ବଢ଼ାଯାଇଛି । ବିଶ୍ୱର ପ୍ରମୁଖ ପାଣିପାଗ ମଡେଲ GFS ଅନୁଯାୟୀ, ମେ ମାସର ଦ୍ୱିତୀୟ ସପ୍ତାହ ଅର୍ଥାତ୍ ୮ ରୁ ୧୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ଗଠିତ ହେବାର ସମ୍ଭାବନା ରହିଛି ।

ଯଦି ଏହି ଆକଳନ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା କ୍ରମେ ଘନୀଭୂତ ହୋଇ ଅବପାତ ଏବଂ ପରେ ବାତ୍ୟାର ରୂପ ନେଇପାରେ । ଏହାର ଗତିପଥ ଯଦି ଉତ୍ତର-ପଶ୍ଚିମ ଦିଗକୁ ରହେ, ତେବେ ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି । ପ୍ରବଳ ବର୍ଷା ଓ ଝଡ଼ ପବନ ସମୁଦ୍ରକୁ ଅଶାନ୍ତ କରିପାରେ ।ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା କିମ୍ବା ବାତ୍ୟାର ନାମ ଘୋଷଣା କରାଯାଇନାହିଁ । ଏହାକୁ କେବଳ ପ୍ରାରମ୍ଭିକ ଆକଳନ ଭାବେ ଦେଖାଯାଉଛି ।ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯିବା ସହ ଉପକୂଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଓଡ଼ିଶା ପାଇଁ ମେ ମାସ ସାଧାରଣତଃ ବିପଦପୂର୍ଣ୍ଣ ଥାଏ । ଗ୍ରୀଷ୍ମ ଋତୁରେ ସମୁଦ୍ର ଜଳର ଉଷ୍ମତା ବଢ଼ିବାରୁ ପ୍ରାୟ ପ୍ରତିବର୍ଷ ଏହି ସମୟରେ ବଡ଼ ବଡ଼ ବାତ୍ୟା ଗଠିତ ହୁଏ । ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ବର୍ତ୍ତମାନର ସୂଚନା କେବଳ ଏକ ଆକଳନ ମାତ୍ର । ଲଘୁଚାପ ଗଠନ ହେବା ପରେ ହିଁ ବାତ୍ୟାର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବ ।ସେହିପରି ଲୋକମାନଙ୍କୁ ଭୟଭୀତ ନହେବା ସହ ସରକାରୀ ସୂଚନା ଉପରେ ମାତ୍ର ବିଶ୍ୱାସ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *