ନ୍ୟୁଜ ଡେକ୍ସ : ଆଜି ବିଶ୍ୱ ଆଜ୍ମା ଦିବସ ଅବସରରେ ସାରା ବିଶ୍ୱରେ ଏହି ଶ୍ୱାସକ୍ରିୟା ଜନିତ ରୋଗ ସମ୍ପର୍କରେ ସଚେତନତା ବଢ଼ାଇବାକୁ ବିଭିନ୍ନ କାର୍ୟକ୍ରମ ଆୟୋଜନ କରାଯାଉଛି। ଆଜ୍ମା ଏକ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଯାହା ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରିପାରେ।ଏହି ରୋଗରେ ଆକ୍ରାନ୍ତ ହେଲେ ଫୁସଫୁସର କାର୍ଯ୍ୟକ୍ଷମତା କମିଯାଇଥାଏ ଏବଂ ରୋଗୀ ସଠିକ ଭାବରେ ଶ୍ୱାସ ନେବାରେ ଅସୁବିଧା ଭୋଗିଥାଆନ୍ତି।
ଡାକ୍ତରମାନଙ୍କ କହିବା ଅନୁସାରେ ଠିକ୍ ସମୟରେ ଚିକିତ୍ସା ଏବଂ ସତର୍କତା ଅବଲମ୍ବନ କଲେ ଏହି ରୋଗକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରେ।ପରିବେଶର ପରିବର୍ତ୍ତନ, ବିଶେଷକରି ଥଣ୍ଡା ଓ ଗରମ ହବାର ହଠାତ୍ ପରିବର୍ତ୍ତନ ଆଜ୍ମା ରୋଗୀଙ୍କ ପାଇଁ ବିପଦଜନକ। ଏହା ଆଲର୍ଜି ସୃଷ୍ଟି କରି ଆଜ୍ମା ଆଟାକ୍ର ଝୁମ୍ପକୁ ବଢ଼ାଇ ଦେଇଥାଏ। ଧୂଳି, ଧୂଆଁ ଏବଂ ପ୍ରଦୂଷଣ ମଧ୍ୟ ଏହି ରୋଗର ମୁଖ୍ୟ କାରଣ ଭାବେ ଦେଖାଯାଏ।ପ୍ରଦୂଷଣ ଫଳରେ ଗଳା ଓ ନାକରେ ସଂକ୍ରମଣ ସୃଷ୍ଟି ହୋଇ ଆଜ୍ମା ରୋଗୀଙ୍କ ସମସ୍ୟାକୁ ଆହୁରି ଜଟିଳ କରିଦେଉଛି।
ସେଥିପାଇଁ ସ୍ୱଚ୍ଛ ପରିବେଶ, ଧୂଳି ଓ ଧୂଆଁରୁ ଦୂରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସରଣ କରିବାକୁ ବିଶେଷଜ୍ଞମାନେ ଅନୁରୋଧ କରିଛନ୍ତି।ପ୍ରତିବର୍ଷ ମେ’ ୫ ତାରିଖରେ ବିଶ୍ୱ ଆଜ୍ମା ଦିବସ ପାଳନ କରାଯାଇଥାଏ, ଯାହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଏହି ରୋଗ ସମ୍ପର୍କରେ ଜାଗୃକତା ବଢ଼ାଇବା ଏବଂ ସମୟୋପଯୋଗୀ ଚିକିତ୍ସାର ଗୁରୁତ୍ୱ ବିଷୟରେ ସୂଚନା ପହଞ୍ଚାଇବା।

