ନ୍ୟୁଜ ଡେକ୍ସ : ଓଡ଼ିଶା ସହିତ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ପାଗରେ ଦ୍ରୁତ ଗତିରେ ପରିବର୍ତ୍ତନ ଦେଖାଦେଇଛି। କିଛି ଦିନ ଧରି ଚାଲିଥିବା ପ୍ରବଳ ଗରମରୁ ଏବେ ଲୋକମାନେ କିଛି ରାହତ ମିଳିବାର ସମ୍ଭାବନା ଦେଖୁଛନ୍ତି। ଏହି ପରିସ୍ଥିତି ମଧ୍ୟରେ ପାଣିପାଗ ବିଭାଗ ଦେଶର ୧୪ଟି ରାଜ୍ୟ ପାଇଁ ନୂତନ ସତର୍କତା ଜାରି କରିଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ତାମିଲନାଡୁ ଏବଂ କେରଳରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ବଜ୍ରସହିତ ଝଡ଼ ବର୍ଷା ହେବା ସହ ଘଣ୍ଟା ପ୍ରତି ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଇଛି।
ଏହିପରି ପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବିଶେଷ କରି ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଓ ଆବଶ୍ୟକ ନହେଲେ ଘର ଛାଡ଼ି ବାହାରୁ ନ ଯିବାକୁ ଅନୁରୋଧ କରାଯାଇଛି।ଏପରି ସତର୍କତା ସହିତ ଆଗାମୀ କିଛି ଦିନ ଧରି ପାଗରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି।

