ନ୍ୟୁଜ ଡେକ୍ସ : ଜିଲ୍ଲାରେ ବିଦେଶୀ ମଦ ପ୍ରତି ଲୋକଙ୍କ ଆଗ୍ରହ ଦିନକୁ ଦିନ ବଢ଼ୁଥିବା ଚିତ୍ର ପ୍ରକାଶ ପାଇଛି। ୨୦୨୫ ଏପ୍ରିଲରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲାରେ ୧୬ ଲକ୍ଷରୁ ଅଧିକ ଲିଟର ବିଦେଶୀ ମଦ ସହ ୨୭ ଲକ୍ଷରୁ ଅଧିକ ଲିଟର ବିୟର ବିକ୍ରି ହୋଇଥିବା ତଥ୍ୟ ମିଳିଛି। ଏଥିରୁ ସ୍ପଷ୍ଟ ଯେ ବିୟର ତୁଳନାରେ ବିଦେଶୀ ମଦର ଚାହିଦା ଅଧିକ ରହିଛି।
ଜିଲ୍ଲାରେ ବର୍ତ୍ତମାନ ୨୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ କାର୍ଯ୍ୟରତ ରହିଛି। ସେଥିରୁ ପାରାଦୀପ ଷଣ୍ଢକୁଦ ନଂ ୨ ମଦ ଦୋକାନ ବିଦେଶୀ ମଦ ଓ ବିୟର ଉଠାଣରେ ଶୀର୍ଷ ସ୍ଥାନ ଦଖଲ କରିଛି। ଏହା ସହ କୁଜଙ୍ଗ ନଂ ୧, ଜଗତସିଂହପୁର ନଂ ୩ (ଡିହସାହି), କୁଜଙ୍ଗ ନଂ ୨, ବିରିଡ଼ି ମଧ୍ୟଶାସନ ଓ ବାଲିତୁଠ ଭଳି ଦୋକାନମାନେ ମଧ୍ୟ ଧାର୍ଯ୍ୟ କୋଟାଠାରୁ ଅଧିକ ବିଦେଶୀ ମଦ ଉଠାଇଥିବା ଜଣାପଡ଼ିଛି।ତଥାପି ବିୟର ଉଠାଣରେ ଅଧିକାଂଶ ଦୋକାନ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରିନାହାନ୍ତି। କେତେକ ସ୍ଥାନରେ ବିଦେଶୀ ମଦ ଓ ବିୟର ଉଭୟରେ ଉଠାଣ ହାର କମ୍ ଥିବା ମଧ୍ୟ ଦେଖାଯାଇଛି।
ମାର୍ଚ୍ଚ ମାସର ତଥ୍ୟ ଅନୁଯାୟୀ, ଜଗତସିଂହପୁର ନଂ ୧ ଦୋକାନରେ ବିଦେଶୀ ମଦ ଉଠାଣ ଧାର୍ଯ୍ୟ କୋଟାଠାରୁ ପ୍ରାୟ ଦୁଇଗୁଣା ଅଧିକ ଥିବା ବେଳେ ବିୟର ଉଠାଣ ମଧ୍ୟ ଲକ୍ଷ୍ୟକୁ ଅତିକ୍ରମ କରିଛି।ମୋଟାମୋଟି ଭାବେ ଦେଖାଯାଉଛି ଯେ, ଜିଲ୍ଲାରେ ବିଦେଶୀ ମଦ ପ୍ରତି ଆକର୍ଷଣ ବଢ଼ିଥିବା ବେଳେ ବିୟର ବିକ୍ରି ତୁଳନାମୂଳକ ଭାବେ କମ୍ ରହିଛି। ଏହି ପରିସ୍ଥିତି ଜିଲ୍ଲାର ମଦ ବ୍ୟବସାୟରେ ନୂତନ ପ୍ରବୃତ୍ତିକୁ ସୂଚିତ କରୁଛି।

