ନ୍ୟୁଜ ଡେକ୍ସ :ରାଜ୍ୟରେ ତିବ୍ର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ମଧୁ ବାବୁ ପେନ୍ସନ୍ ଯୋଜନା ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ପାଇଁ ସରକାର ବଡ଼ ସିଦ୍ଧାନ୍ତ ନେଇଛନ୍ତି। ଏଣିକି ସେମାନଙ୍କୁ ଭତ୍ତା ନେବା ପାଇଁ ବାହାରକୁ ଆସିବାକୁ ପଡ଼ିବ ନାହିଁ, ବରଂ ଘରଦୁଆରେ ଭତ୍ତା ପହଞ୍ଚାଇ ଦିଆଯିବ।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଜରୁରୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି।
ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ବଢ଼ିଥିବା ବେଳେ ଉପକୂଳ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ପରିସ୍ଥିତି ଗଭୀର ରୂପ ନେଇଛି। ଏପରି ସମୟରେ ପ୍ରତିମାସ ୧୫ ତାରିଖରେ ହେଉଥିବା ଭତ୍ତା ବଣ୍ଟନ ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅଂଶୁଘାତ, ଡିହାଇଡ୍ରେସନ୍ ଓ ହିଟ୍ ଏକ୍ସହଷ୍ଟିଅନର ଝୁମ୍ପରେ ପଡ଼ିପାରନ୍ତି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବଣ୍ଟନ କେନ୍ଦ୍ରଗୁଡ଼ିକରେ ପିଇବା ପାଣି, ORS ପ୍ୟାକେଟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିସହ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଘରେ ଘରେ ଭତ୍ତା ପହଞ୍ଚାଇବାକୁ ବିଶେଷ ଭାବେ ଜୋର ଦିଆଯାଇଛି, ଯାହା ତିବ୍ର ଖରାରେ ସେମାନଙ୍କୁ ମୁକ୍ତି ଦେବ।

