ନ୍ୟୁଜ ଡେକ୍ସ : ଜନଗଣନା ୨୦୨୭ ପାଇଁ ରାଜ୍ୟରେ ପ୍ରାରମ୍ଭିକ କାର୍ଯ୍ୟ ଜାରି ରହିଥିବାବେଳେ ଜନଗଣନା କାମରେ ନିୟୋଜିତ ଶିକ୍ଷକ ଓ କର୍ମଚାରୀଙ୍କୁ ବାଧା ନଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।ବିଭାଗୀୟ ସୂଚନା ଅନୁସାରେ, କେତେକ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକମାନଙ୍କୁ ଜନଗଣନା କାମରେ ଯୋଗଦେବା ପାଇଁ ଅନୁମତି ଦେଉନଥିବା ସରକାରଙ୍କ ନଜରକୁ ଆସିଛି ।
ଏହାକୁ ଗୁରୁତ୍ୱର ସହ ନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି ।ଜନଗଣନା କାର୍ଯ୍ୟରେ ଜନଗଣନାକାରୀ ଓ ସୁପରଭାଇଜର ଭାବେ ନିଯୁକ୍ତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ରିଲିଭ୍ କରିବା ବାଧ୍ୟତାମୂଳକ ବୋଲି ବିଭାଗ ସ୍ପଷ୍ଟ କରିଛି ।
ସେହିପରି ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ତୁରନ୍ତ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।ସରକାର କହିଛନ୍ତି ଯେ ଜନଗଣନା ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟରେ ଶିକ୍ଷକମାନଙ୍କ ସହଯୋଗ ଅତ୍ୟାବଶ୍ୟକ । ତେଣୁ ଏହି କାମରେ କୌଣସି ପ୍ରକାର ବାଧା ସୃଷ୍ଟି ନକରିବାକୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସଚେତନ କରାଯାଇଛି ।

