Wed. Jun 3rd, 2026

ନ୍ୟୁଜ ଡେକ୍ସ : ବଲିଉଡରେ କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିଜ ଅଭିନୟ ଓ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ହୃଦୟ ଜିତିଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଦକ୍ଷିଣ ଭାରତୀୟ ଓ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଅସିନ୍ ଥୋଟ୍ଟୁମକଲ୍। ମାତ୍ର ୧୫ ବର୍ଷ ବୟସରୁ ମାଲାୟାଲମ୍ ସିନେମାରେ କ୍ୟାରିୟର ଆରମ୍ଭ କରିଥିବା ଅସିନ୍, ୨୦୦୮ ମସିହାରେ ଅମିର ଖାନଙ୍କ ସହ ‘ଗଜନୀ’ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ।

ଏହି ଫିଲ୍ମଟି ବଲିଉଡ ଇତିହାସରେ ପ୍ରଥମ ଥର ପାଇଁ ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା ଏବଂ ଅସିନ୍ ରାତାରାତି ସୁପରଷ୍ଟାର୍ ହୋଇଯାଇଥିଲେ।ତାପରେ ସଲମାନ ଖାନଙ୍କ ସହ ‘ରେଡି’, ଅଜୟ ଦେବଗନଙ୍କ ସହ ‘ବୋଲ୍ ବଚ୍ଚନ’ ଓ ଅକ୍ଷୟ କୁମାରଙ୍କ ସହ ‘ଖିଲାଡି ୭୮୬’ ଭଳି ହିଟ୍ ଫିଲ୍ମ ଦେଇ ସେ ବଲିଉଡରେ ନିଜ ଅଲଗା ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ସଫଳତାର ଶୀର୍ଷରେ ଥିବା ସମୟରେ ହଠାତ୍ ଅଭିନୟ ଦୁନିଆକୁ ଅଲବିଦା କହିବା ସମସ୍ତଙ୍କୁ ଚମକ ଦେଇଥିଲେ।୨୦୧୬ରେ ଅସିନ୍ ମାଇକ୍ରୋମ୍ୟାକ୍ସର ସହ-ପ୍ରତିଷ୍ଠାତା ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଏହି ଦୁଇଜଣଙ୍କ ପରିଚୟ କରାଇଥିଲେ ଅଭିନେତା ଅକ୍ଷୟ କୁମାର। ଏକ ସାକ୍ଷାତକାରରେ ରାହୁଲ କହିଥିଲେ ଯେ, ୨୦୧୨ରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଢାକା ଯାଇଥିବା ସମୟରେ ଅକ୍ଷୟ ତାଙ୍କର ଅସିନଙ୍କ ସହ ପରିଚୟ କରାଇଥିଲେ।

ଅକ୍ଷୟଙ୍କ ମତରେ ଦୁହେଁଙ୍କ ପାରିବାରିକ ମୂଲ୍ୟବୋଧ ଓ ଚିନ୍ତାଧାରା ପ୍ରାୟ ସମାନ ଥିଲା।ବର୍ତ୍ତମାନ ଅସିନ୍ ନିଜ ପରିବାର ସହ ସୁଖମୟ ଜୀବନ ବିତାଉଛନ୍ତି। ୨୦୧୭ରେ ସେମାନଙ୍କର କନ୍ୟା ସନ୍ତାନ ଆରିନ୍ ଜନ୍ମ ନେଇଥିଲା। ଗ୍ଲାମର ଦୁନିଆରୁ ଦୂରେ ରହି ସେ ଏବେ ପରିବାରକୁ ସମୟ ଦେଉଛନ୍ତି। ଜଣେ ସଫଳ ଅଭିନେତ୍ରୀ ହୋଇ ମଧ୍ୟ ପରିବାର ପାଇଁ କ୍ୟାରିୟରକୁ ପଛକୁ ରଖିବା ନିଶ୍ଚୟ ଏକ ବିରଳ ଉଦାହରଣ।

Leave a Reply

Your email address will not be published. Required fields are marked *