ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (CRIF) ଯୋଜନା ଅଧୀନରେ ଓଡ଼ିଶାର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୬୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଡ଼କ, ଫ୍ଲାଏଓଭର୍ ଓ ଆପ୍ରୋଚ୍ ରୋଡ୍ ନିର୍ମାଣ ସହ ଭିତ୍ତିଭୂମି ବିକାଶ କାମକୁ ଗତି ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା-ହାଣ୍ଡିପୁଟ ଓ ଲମତାପୁଟ-ମାଛକୁଣ୍ଡ ରାସ୍ତାର ଉନ୍ନତିକରଣ କରାଯିବ। ବ୍ରହ୍ମପୁରର ଟାଟା ବେଞ୍ଜ୍ ଛକ ଏବଂ ଗିରି ରୋଡ୍ ଜଙ୍କସନରେ ଦୁଇଟି ଫ୍ଲାଏଓଭର୍ ନିର୍ମାଣ ପାଇଁ ମଧ୍ୟ ଅର୍ଥ ମଞ୍ଜୁର ହୋଇଛି।ନବରଙ୍ଗପୁର ଜିଲ୍ଲାର ଉମରକୋଟ-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତା ପ୍ରଶସ୍ତିକରଣ କରାଯିବା ସହ ଖରିଆର ରୋଡ୍-ଆମୋଦି-ବେଲଟୁକ୍ରି ରାସ୍ତାକୁ ମଧ୍ୟ ପ୍ରଶସ୍ତ କରାଯିବ। ଝାରସୁଗୁଡ଼ା ଜିଲ୍ଲାରେ ଦଳଗାଁ-ତିଲିଆ ଓ ଚାରପାଲି-ଡଙ୍ଗାଘାଟ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ରାମପେଲା ବ୍ରିଜ୍ ଆପ୍ରୋଚ୍ ରୋଡ୍ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।
ଗଜପତି ଜିଲ୍ଲାର ରାମଗିରି-ଜିରାଙ୍ଗ-ନାରାୟଣପୁର ଏବଂ ଅଡବା-ପାଣିଗଣ୍ଡା ରାସ୍ତା ପ୍ରଶସ୍ତିକରଣ କରାଯିବ। ସେହିପରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର ରାସ୍ତା ଉନ୍ନତିକରଣ ପ୍ରକଳ୍ପକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଯାତାୟାତ ବ୍ୟବସ୍ଥା ସୁଦୃଢ଼ ହେବା ସହ ଅର୍ଥନୈତିକ ଓ ଅଞ୍ଚଳୀୟ ବିକାଶକୁ ବଡ଼ ସହାୟତା ମିଳିବ ବୋଲି କୁହାଯାଉଛି।

