ନ୍ୟୁଜ ଡେକ୍ସ : ଓଡ଼ିଶା ଉପକୂଳରେ ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ‘ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍’ (TARA)ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଭାରତର ଆତ୍ମନିର୍ଭରଶୀଳ ପ୍ରତିରକ୍ଷା କ୍ଷମତାକୁ ନୂଆ ଶିଖରକୁ ନେଇଯାଇଛି । ଅପରେସନ ସିନ୍ଦୂରକୁ ବର୍ଷେ ପୂରଣ ଅବସରରେ ଏହି ପରୀକ୍ଷଣ ସଫଳତାର ସହ କରାଯାଇଥିବା ସୂଚନା ମିଳିଛି ।‘TARA’ ହେଉଛି ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ପାରମ୍ପରିକ ଏବଂ ଅଣ-ନିର୍ଦ୍ଦେଶିତ ବୋମାକୁ ସଠିକ୍ ଲକ୍ଷ୍ୟଭେଦ କରିପାରୁଥିବା ସ୍ମାର୍ଟ ଅସ୍ତ୍ରରେ ପରିଣତ କରିବା । ଏହା ଏକ ମଡ୍ୟୁଲାର୍ ରେଞ୍ଜ୍ ଏକ୍ସଟେନସନ୍ କିଟ୍ ଭାବେ କାମ କରେ । ସାଧାରଣ ବୋମାରେ ଏହି କିଟ୍ ଲଗାଗଲେ ତାହା ଏକ ଅତ୍ୟାଧୁନିକ ମାର୍ଗଦର୍ଶିତ ଅସ୍ତ୍ରରେ ପରିଣତ ହୋଇଯାଏ ।‘TARA’ ଉଚ୍ଚ ସଠିକତା ସହ ଶତ୍ରୁର ଭୂତଳ ଓ ଅନ୍ୟାନ୍ୟ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସକ୍ଷମ । ପ୍ରାୟ ୫ କିଲୋମିଟର ଉଚ୍ଚତାରୁ ଛାଡ଼ାଗଲେ ଏହା ୧୫୦ରୁ ୧୮୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ସଠିକ୍ ଭାବେ ଭେଦ କରିପାରିବ । ଏହା ଶତ୍ରୁର ରାଡାର ବଳୟ ବାହାରେ ରହି ଆକ୍ରମଣ କରିବାରେ ମଧ୍ୟ ସହାୟକ ହେବ ।
ହାଇଦ୍ରାବାଦ ସ୍ଥିତ ରିସର୍ଚ୍ଚ ସେଣ୍ଟର ଇମାରତ୍ (RCI) ଏବଂ ଡିଆରଡିଓର ଅନ୍ୟାନ୍ୟ ଲାବୋରେଟୋରୀ ଦ୍ୱାରା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ଏହାକୁ ବିକଶିତ କରାଯାଇଛି । ମହଙ୍ଗା ମିସାଇଲ୍ର ବଦଳରେ ସାଧାରଣ ବୋମାକୁ ସ୍ମାର୍ଟ ଅସ୍ତ୍ରରେ ପରିଣତ କରିବା ଫଳରେ ସାମରିକ ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ କମିବ ।ଜାଗୁଆର, ମିରାଜ୍-୨୦୦୦, ସୁଖୋଇ-୩୦ ଏବଂ ତେଜସ ଭଳି ଯୁଦ୍ଧ ବିମାନରେ ଏହାକୁ ବ୍ୟବହାର କରାଯାଇପାରିବ । ‘TARA’ର ସଫଳ ପରୀକ୍ଷଣ ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିକୁ ଆହୁରି ସୁଦୃଢ଼ କରିବା ସହ ବିଶ୍ୱ ମଞ୍ଚରେ ଦେଶର ସାମରିକ କ୍ଷମତାକୁ ନୂଆ ପରିଚୟ ଦେଇଛି ।

