Thu. Jun 18th, 2026

ନ୍ୟୁଜ ଡେକ୍ସ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଆ ରତନେଶ୍ୱରୀ ମନ୍ଦିର ସମ୍ମୁଖ ପାହାଡ଼ ଅଞ୍ଚଳରେ କଲରାପତରିଆ ବାଘ ବୁଲୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ଘଟଣାକୁ ନେଇ ବନ ବିଭାଗକୁ ସୂଚନା ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୯ଟା ୫୦ ମିନିଟ୍ ସମୟରେ ପାହାଡ଼ ପାଦଦେଶରେ ଥିବା ଏକ ବଡ଼ ପଥର ଉପରେ ବାଘଟି ଶୋଇଥିବା ଦେଖିବାକୁ ମିଳିଥିଲା। ସେହି ରାସ୍ତାରେ କାର୍ ଓ ବାଇକ୍‌ରେ ଯାଉଥିବା କିଛି ବାଟୋଇ ବାଘଟିକୁ ଦେଖି ଆତଙ୍କିତ ହୋଇପଡ଼ିଥିଲେ। ଗାଡ଼ିର ଲାଇଟ୍ କିଛି ସମୟ ବାଘ ଉପରେ ପଡ଼ି ରହିବା ପରେ ସେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ଏକ ମାସ ହେଲା ଏହି କଲରାପତରିଆ ବାଘଟି ଉକ୍ତ ଅଞ୍ଚଳରେ ବାରମ୍ବାର ଦେଖାଯାଉଛି।

ଏନେଇ ସେମାନେ ବନ ବିଭାଗକୁ ପୂର୍ବରୁ ମଧ୍ୟ ଜଣାଇଥିବା କହିଛନ୍ତି। ତଥାପି ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା କିମ୍ବା ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ଅନ୍ୟପଟେ ପଡ଼ୋଶୀ ପାତ୍ରପୁର ଅଞ୍ଚଳରେ ମଧ୍ୟ ପୂର୍ବରୁ ବାଘ ଚଳପ୍ରଚଳ ନେଇ ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ବଢ଼ିବାରେ ଲାଗିଛି। ତେବେ ଏଯାବତ୍ ବନ ବିଭାଗ ପକ୍ଷରୁ ବାଘର ଅବସ୍ଥିତି ସମ୍ପର୍କରେ କୌଣସି ଆଧିକାରିକ ସ୍ପଷ୍ଟୀକରଣ ମିଳିନାହିଁ।

Leave a Reply

Your email address will not be published. Required fields are marked *