ନ୍ୟୁଜ ଡେକ୍ସ : ଆସାମରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ। ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ବିଧାୟକ ଦଳର ବୈଠକରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ସର୍ବସମ୍ମତିକ୍ରମେ ନେତା ଭାବେ ଚୟନ କରାଯାଇଛି। ଏହା ସହିତ ସେ ଲଗାତାର ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଛି।
ଗୌହାଟୀରେ ଆୟୋଜିତ ବୈଠକ ପରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆନୁଷ୍ଠାନିକ ଭାବେ ହିମନ୍ତ ବିଶ୍ୱ ଶର୍ମାଙ୍କ ନାମ ଘୋଷଣା କରିଥିଲେ। ବୈଠକରେ ଏନଡିଏ ସହଯୋଗୀ ଦଳର ନେତାମାନଙ୍କ ସହ ନବନିର୍ବାଚିତ ବିଧାୟକମାନେ ଯୋଗଦେଇଥିଲେ। ବିଧାୟକ ଦଳ ନେତା ଚୟନ ପାଇଁ ବିଜେପି ପକ୍ଷରୁ ଜେ.ପି. ନଡ୍ଡା ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା।ହିମନ୍ତ ବିଶ୍ୱ ଶର୍ମା ମେ ୧୨ ତାରିଖ ସକାଳ ୧୧ଟାରେ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗୌହାଟୀର ଖାନପାରା ଖେଳପଡ଼ିଆରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ବରିଷ୍ଠ ଏନଡିଏ ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ମେ ୬ ତାରିଖରେ ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ସେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସେ କହିଛନ୍ତି ଯେ, ଆସାମକୁ ଦେଶର ସବୁଠାରୁ ବିକଶିତ ରାଜ୍ୟମାନଙ୍କ ମଧ୍ୟରେ ପରିଣତ କରିବା ହେଉଛି ତାଙ୍କ ସରକାରର ଲକ୍ଷ୍ୟ। ଆସାମବାସୀଙ୍କୁ ସେ ଆଗାମୀ ଦିନରେ ମଧ୍ୟ ଆଶୀର୍ବାଦ ଓ ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି।

