Wed. Jun 3rd, 2026

ନ୍ୟୁଜ ଡେକ୍ସ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ନିତିନ ନବୀନ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡାଙ୍କ ସହ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ନେତା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ।

ନିତିନ ନବୀନଙ୍କ ଏହି ଦୁଇଦିନିଆ ଓଡ଼ିଶା ଗସ୍ତକୁ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ଗସ୍ତ ସମୟରେ ସେ ଦଳୀୟ ସଂଗଠନର କାର୍ଯ୍ୟର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ ବିଜେପିକୁ କିପରି ଆହୁରି ଦୃଢ କରାଯିବ, ସେନେଇ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଦିଗ୍‌ଦର୍ଶନ ଦେବେ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ମଧ୍ୟ ସେ ଫୋକସ କରିବେ ବୋଲି ଅନୁମାନ କରାଯାଉଛି। ଆସନ୍ତାକାଲି ସକାଳେ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ରାଜ୍ୟ କୋର କମିଟି ବୈଠକରେ ଯୋଗଦେବେ।

ଏହାପରେ ଜଟଣୀସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଉଦ୍‌ଘାଟନ କରିବେ।କାର୍ଯ୍ୟକ୍ରମ ଶେଷ ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ପରେ ଭୁବନେଶ୍ୱରକୁ ଫେରି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ସହ ବୈଠକ କରିବେ। ଏହି ଗସ୍ତ ମାଧ୍ୟମରେ ରାଜ୍ୟରେ ବିଜେପି ସଂଗଠନକୁ ଆହୁରି ସକ୍ରିୟ ଓ ସୁଦୃଢ କରିବାକୁ ଦଳ ପ୍ରୟାସ ଆରମ୍ଭ କରିଥିବା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *