Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ଅତି ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଶେଷ ହୋଇଛି। ଓଡ଼ିଶାରେ ସରକାର ଗଠନ ପରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ଏବଂ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନିଖୁଣ କରିବା ପାଇଁ ଏହି ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ କରାଯାଇଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସମସ୍ତ ନେତାଙ୍କୁ ସଙ୍ଗଠନ ଓ ସରକାର ମଧ୍ୟରେ ସମନ୍ୱୟ ରଖିବାକୁ ନୂଆ ‘ଗୁରୁମନ୍ତ୍ର’ ଦେଇଥିବା ସହ କଡ଼ା ଟାସ୍କ ମଧ୍ୟ ଦେଇଛନ୍ତି।ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସରକାର ଏବଂ ସଙ୍ଗଠନ ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି। ତୃଣମୂଳ ସ୍ତରରେ ସଙ୍ଗଠନକୁ କିପରି ଅଧିକ ସୁଦୃଢ଼ କରାଯିବ ଏବଂ ସରକାରୀ ଯୋଜନାଗୁଡ଼ିକୁ କିପରି ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଯିବ, ସେନେଇ ସ୍ପଷ୍ଟ ନିର୍ଦ୍ଦେଶ ମିଳିଛି। ସେ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ କହିଛନ୍ତି ଯେ, “ସଙ୍ଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅନାହିଁ।” ବୈଠକରେ ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବା ଉପରେ ମଧ୍ୟ ଜୋର ଦିଆଯାଇଛି।

ଆଗାମୀ ଦିନରେ ମନ୍ତ୍ରୀମାନଙ୍କ ସହ ପୃଥକ ଆଲୋଚନା କରାଯିବା ସହ ମନ୍ତ୍ରୀ ପରିଷଦ ବୈଠକରେ ବିଭିନ୍ନ ବିଭାଗର ପ୍ରଦର୍ଶନ ସମ୍ପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଅବଗତ କରାଯିବ।ରାଜ୍ୟର ବେକାର ଯୁବକଯୁବତୀଙ୍କ ପାଇଁ ମଧ୍ୟ ବୈଠକରୁ ଆଶାଜନକ ସୂଚନା ମିଳିଛି। ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ସରକାରୀ ନିଯୁକ୍ତି ପ୍ରକ୍ରିୟା ଏବେ ଶେଷ ସୋପାନରେ ପହଞ୍ଚିଛି ଏବଂ ଚଳିତ ମାସ ଶେଷ ସୁଦ୍ଧା ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା ହୋଇପାରେ। ଏହା ସହିତ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ମଧ୍ୟ ସମ୍ଭାବନା ଥିବା ନେଇ ଚର୍ଚ୍ଚା ଚାଲିଛି।

ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ସମସ୍ତ ନେତାଙ୍କଠାରୁ ଗ୍ରାଉଣ୍ଡ ଫିଡବ୍ୟାକ୍ ନେଇଛନ୍ତି ଏବଂ ତୃଣମୂଳ ସ୍ତରରେ ଦଳକୁ ଆହୁରି ସକ୍ରିୟ କରିବାକୁ ନୂଆ ଟାସ୍କ ଦେଇଛନ୍ତି। ବିଶେଷ କରି ୨୦୩୬ ସୁଦ୍ଧା ‘ବିକଶିତ ଓ ସମୃଦ୍ଧ ଓଡ଼ିଶା’ ଗଠନ ଲକ୍ଷ୍ୟକୁ ନେଇ ୫ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି। ବୈଠକରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି।

ଦଳର ପୁରୁଣା ଓ ନୂଆ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ମଧ୍ୟ ବିଶେଷ ରଣନୀତି ଗ୍ରହଣ କରାଯାଇଛି।ଏହି ହାଇ-ପ୍ରୋଫାଇଲ୍ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *