ନ୍ୟୁଜ ଡେକ୍ସ : ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୁରୁତର ଉଦ୍ବେଗ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ, ଓଡ଼ିଶାରେ ଅରାଜକତାର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି ଏବଂ ରାଜ୍ୟରେ ଶାସନ ନୁହେଁ ବରଂ ଗୁଣ୍ଡାରାଜ୍ ଚାଲିଥିବା ଭଳି ଲାଗୁଛି।ବ୍ରହ୍ମପୁରରେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ଆକ୍ରମଣ କରାଯାଇଥିବା ଘଟଣାକୁ ନେଇ ସେ କଠୋର ପ୍ରତିକ୍ରିୟା ଦେଇଛନ୍ତି।
ଏପରି ଘଟଣା ସମଗ୍ର ଓଡ଼ିଶାବାସୀଙ୍କୁ ଆତଙ୍କିତ ଓ ବିଚଳିତ କରିଥିବା ସେ କହିଛନ୍ତି। ନବୀନଙ୍କ ଅଭିଯୋଗ ଅନୁସାରେ, ବିଜେପି ସରକାର ରାଜ୍ୟକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି ଏବଂ ଅପରାଧୀମାନେ ଭୟଶୂନ୍ୟ ଭାବେ ନୃଶଂସ କାଣ୍ଡ ଘଟାଉଛନ୍ତି।ସେ ପୁଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥାର କାର୍ଯ୍ୟକ୍ଷମତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଇ ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ଏହାପରେ ବିଜେପି ବିଧାୟକ ସରୋଜ ପାଢୀ ନବୀନଙ୍କ ମନ୍ତବ୍ୟର ପାଲଟା ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ନବୀନ ବାବୁ ନିଜର ୨୫ ବର୍ଷର ଶାସନକୁ ଭୁଲି ଯାଉଛନ୍ତି। ଗଞ୍ଜାମ ଏକ ଶାନ୍ତିପ୍ରିୟ ଜିଲ୍ଲା ହେଉଥିବାବେଳେ ବିଜେଡି ଶାସନ ସମୟରେ ଗୁଣ୍ଡାମାନଙ୍କୁ ପୋଷଣ କରାଯାଇଥିଲା ଏବଂ ସେହି କାରଣରୁ ଅପରାଧ ବଢ଼ିଥିଲା। ବର୍ତ୍ତମାନ ସରକାର ସେହି ପରିସ୍ଥିତିକୁ ସୁଧାରିବାକୁ ପଦକ୍ଷେପ ନେଉଥିବା ସେ କହିଛନ୍ତି।

