ନ୍ୟୁଜ ଡେକ୍ସ : କଟକ ସହରରେ ଏକ ସମୟରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଯୋବ୍ରା ନିକଟ ତାଳଦଣ୍ଡା ବୋଟିଂ ଓ ବ୍ୟଞ୍ଜନ ପରିସର ଏବେ ଅବହେଳାର ଶିକାର ହୋଇପଡ଼ିଛି । ନା ଏଠାରେ ବୋଟିଂ ଚାଲୁଛି, ନା ଫୁଡ୍ କୋର୍ଟରେ ଆଶାନୁରୂପ ବ୍ୟବସାୟ ହେଉଛି । ତାଳଦଣ୍ଡା କେନାଲରେ ପାଣି ଅଭାବ ଯୋଗୁଁ ଦୀର୍ଘଦିନ ଧରି ବୋଟିଂ ବନ୍ଦ ରହିଥିବା ବେଳେ ପର୍ଯ୍ୟଟକଙ୍କ ଆଗମନ କମିଯାଇଥିବାରୁ ଫୁଡ୍ ଷ୍ଟଲ୍ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛି ।
କଟକକୁ ପର୍ଯ୍ୟଟନ ମାନଚିତ୍ରରେ ଆଗକୁ ନେବା ଉଦ୍ଦେଶ୍ୟରେ ପୂର୍ବ ସରକାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ମାଧ୍ୟମରେ ତାଳଦଣ୍ଡା କେନାଲର ପୁନରୁଦ୍ଧାର ସହ ବୋଟିଂ, ମନୋରଞ୍ଜନ ପାର୍କ ଓ ଫୁଡ୍ କୋର୍ଟ ଆରମ୍ଭ କରିଥିଲେ । ପ୍ରାୟ ୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ୨୦୨୩ ମସିହାରେ ଉଦ୍ଘାଟନ କରାଯାଇଥିଲା । ମୁକ୍ତାକାଶ ଫୁଡ୍ କୋର୍ଟ, ସେଲ୍ଫି ଜୋନ୍, ଡାଇନିଂ ସ୍ପେସ୍ ସହ କାଶ୍ମୀର ଶିକାରା ଶୈଳୀର ବୋଟିଂ ଏଠାର ମୁଖ୍ୟ ଆକର୍ଷଣ ଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପର୍ଯ୍ୟଟକମାନେ ଏଠାକୁ ଆସି ଜଳକ୍ରୀଡ଼ାର ମଜା ନେଉଥିଲେ । ପ୍ରକଳ୍ପର ଲୋକପ୍ରିୟତା ଦେଖି ତାଳଦଣ୍ଡାରେ ଇଟାଲୀର ଗୋଣ୍ଡାଲା ବୋଟ୍ ଚଳାଇବାକୁ ମଧ୍ୟ ଯୋଜନା ହୋଇଥିଲା । କିନ୍ତୁ ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ କେନାଲରେ ପାଣି ନ ରହିବାରୁ ବୋଟିଂ ବନ୍ଦ ହୋଇଯାଇଛି । କେନାଲରେ ପାଣି ଧରି ରଖିବା ପାଇଁ ଆବଶ୍ୟକ ଗେଟ୍ ବ୍ୟବସ୍ଥା ନଥିବାରୁ ସମସ୍ୟା ଆହୁରି ଗୁରୁତର ହୋଇଛି ।ଗତବର୍ଷ ନୂଆବଜାର ନିକଟରେ ଗେଟ୍ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଏଯାବତ୍ ଶେଷ ହୋଇନାହିଁ । ଫଳରେ ବୋଟିଂ ସେବା ପୁନର୍ବାର ଆରମ୍ଭ ହୋଇପାରୁନାହିଁ ।
ଜେଟିରେ ପଡ଼ି ରହିଥିବା ବୋଟ୍ଗୁଡ଼ିକ ମଧ୍ୟ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଛି ।ଏପଟେ ପର୍ଯ୍ୟଟକଙ୍କ ଅଭାବରୁ ଫୁଡ୍ କୋର୍ଟର ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପରିଚାଳିତ ୩ଟି ଫୁଡ୍ ଷ୍ଟଲ୍ ବନ୍ଦ ହୋଇଯାଇଛି । ସନ୍ଧ୍ୟା ସମୟରେ କେବଳ କିଛି ଛାତ୍ରଛାତ୍ରୀ ଆସୁଥିବା ବେଳେ ପରିବାର ସହ ପର୍ଯ୍ୟଟକଙ୍କ ଆଗମନ ନଗଣ୍ୟ ହୋଇପଡ଼ିଛି । ଛୋଟ ପିଲାଙ୍କ ପାଇଁ ଖେଳାଧୁଳା କିମ୍ବା ଅନ୍ୟ କୌଣସି ମନୋରଞ୍ଜନ ବ୍ୟବସ୍ଥା ନଥିବାରୁ ଲୋକେ ଧୀରେ ଧୀରେ ଏହି ସ୍ଥାନରୁ ମୁହଁ ଫେରାଉଛନ୍ତି ।ଏ ସମ୍ପର୍କରେ ଓଟିଡିସିର ଦାୟିତ୍ୱରତ ଅଧିକାରୀ ଅରୁଣ କୁମାର ଜେନା କହିଛନ୍ତି ଯେ, ତାଳଦଣ୍ଡାରେ ପାଣି ଅଭାବ ହିଁ ବୋଟିଂ ବନ୍ଦ ହେବାର ପ୍ରମୁଖ କାରଣ ।

