Sat. Jun 6th, 2026

ନ୍ୟୁଜ ଡେକ୍ସ : ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ବାତ୍ୟାର ଆଶଙ୍କା ନଥିଲେ ମଧ୍ୟ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ସିଷ୍ଟମର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବ ବୋଲି କୁହାଯାଇଛି।

ଏହି ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ବର୍ଷା ଓ ବଜ୍ରପାତର ପରିମାଣ ବଢ଼ିପାରେ। ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି। ରାଜ୍ୟରେ ମେ ମାସର ମଧ୍ୟଭାଗରେ କାଳବୈଶାଖୀ ସହ ପ୍ରବଳ ପବନ, ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ବଢ଼ିପାରେ ବୋଲି ପୂର୍ବାନୁମାନ ହୋଇଛି।ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ ଉପକୂଳ ଜିଲ୍ଲାଗୁଡ଼ିକରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ।

ସେହିପରି ଗୁଳୁଗୁଳି ଅବସ୍ଥା ମଧ୍ୟ ବଢ଼ିପାରେ। ସୋମବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ୧୨ ଓ ୧୩ ତାରିଖରେ ମଧ୍ୟ ବିକ୍ଷିପ୍ତ ସ୍ଥାନରେ ବର୍ଷା ଜାରି ରହିପାରେ। ତେବେ ରବିବାର ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା। ନୂଆପଡ଼ାରେ ସର୍ବାଧିକ ୩୯ ଡିଗ୍ରୀ ଓ ସୋନପୁରରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *