Fri. Jun 5th, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାରେ ବେଆଇନ ଭାବେ ମଦ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୯୬୦ ଲିଟର ଦେଶୀ ରନ୍ଧା ମଦ ଓ ୪୬୦୦ ଲିଟର ଗୁଡ଼ ପୋଚ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଖଇରା ଓ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା।

ଏହି ଟିମ ସିମୁଳିଆ ଥାନା ଅନ୍ତର୍ଗତ କୁଅଁରପୁର ଓ ଅଲିହା ସହ ଖଇରା ଥାନା ଅନ୍ତର୍ଗତ ଡୁଙ୍ଗୁରା ଏବଂ ସୋର ଥାନା ଅନ୍ତର୍ଗତ ମାଣିପୁର, ନୁଆସାହି, ବନ୍ଧସାହି ଓ ବାଉଁଶପାଳ ଗାଁରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ବ୍ୟାପକ ପରିମାଣର ବେଆଇନ ମଦ ଓ ଗୁଡ଼ ପୋଚ ଜବତ ହୋଇଥିଲା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।ଏହି ମାମଲାରେ କୁଅଁରପୁର ଗାଁର ଅଶୋକ କୁମାର ଶିଅଳ, ଅଲିହା ଗ୍ରାମର ମୁକୁନ୍ଦ ବେହେରା ଓ ରାମଚନ୍ଦ୍ର ପାଢ଼ୀ, ଡୁଙ୍ଗୁରା ଗାଁର ଶ୍ରୀମତୀ ସିଂ, ନୁଆସାହି ଗାଁର ଯୋଗେନ୍ଦ୍ର ନାୟକ ଏବଂ ମାଣିପୁର ଗାଁର ବିକର୍ତ୍ତନ ମାସନ୍ତଙ୍କୁ ଗିରଫ କରାଯାଇଛି।

ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା, ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁଙ୍କ ସହ କନେଷ୍ଟବଳ ଦେବାଶିଷ ମଲ୍ଲିକ ଓ ମିନତୀ ପରିଡ଼ା ପ୍ରମୁଖ ସାମିଲ ଥିଲେ। ଏନେଇ ଖଇରା ଅବକାରୀ ଥାନା ଓ ସୋର ଆଦର୍ଶ ଅବକାରୀ ଥାନାରେ ପୃଥକ ଭାବେ ୮ଟି ମାମଲା ରୁଜୁ କରାଯାଇଛି।

Leave a Reply

Your email address will not be published. Required fields are marked *