ନ୍ୟୁଜ ଡେକ୍ସ : ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରର ଉତ୍ତର ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ବାତ୍ୟାର ରୂପ ନେବାର ଆଶଙ୍କା ଅତ୍ୟନ୍ତ କମ୍ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ମଡେଲ୍ଗୁଡ଼ିକର ଆକଳନ ଅନୁସାରେ, ECMWF, NCUM ଓ GFS ପରି ଆନ୍ତର୍ଜାତୀୟ ମଡେଲ୍ମାନେ ସିଷ୍ଟମ୍ଟି ଅଧିକ ଶକ୍ତିଶାଳୀ ହେବା ନେଇ କୌଣସି ସ୍ପଷ୍ଟ ସଙ୍କେତ ଦେଇନାହାନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗର ଜିଏଫସ ମଡେଲ୍ ଆକଳନ ଅନୁଯାୟୀ, ଏହି ଲଘୁଚାପ ୧୭ ତାରିଖ ବେଳକୁ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଏହି ସିଷ୍ଟମ୍ ପ୍ରଭାବରେ ଆଗାମୀ କିଛି ଦିନ ଧରି ସମୁଦ୍ର ଅଞ୍ଚଳରେ ପବନର ବେଗ ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ବଢ଼ିପାରେ। ତଥାପି ଓଡ଼ିଶା ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ନଥିବା କଥା ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ସେପଟେ ରାଜ୍ୟରେ କାଳବୈଶାଖୀ ଜନିତ ପାଗ ଜାରି ରହିବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ସମ୍ଭାବନା ନେଇ ସତର୍କତା ଜାରି କରାଯାଇଛି। କିଛି ସ୍ଥାନରେ ଝଡ଼ୋ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।ଅନ୍ୟପଟେ, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ବଡ଼ ଧରଣର କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

