Fri. Jun 5th, 2026

ନ୍ୟୁଜ ଡେକ୍ସ : ବାଲିଅନ୍ତା ଓ ବାଲିପାଟଣା ଘଟଣାକୁ ନେଇ ସମୀକ୍ଷା ବୈଠକ ପରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ପ୍ରଶାସନରେ କିଛି ତ୍ରୁଟି ଥିଲେ ସେଥିରେ ସୁଧାର ଆଣାଯିବ ଏବଂ ଯେଉଁଠି ଅପଗ୍ରେଡ୍‌ ଆବଶ୍ୟକ ସେଥିରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।ଉକ୍ତ ସମୀକ୍ଷା ବୈଠକରେ ଆଇଜି, ଡିଆଇଜି, ଏସ୍‌ପି, ପୋଲିସ କମିଶନର, ଦୁଇ ଡିସିପି ଓ ରେଳବାଇ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ତଦନ୍ତର ଅଗ୍ରଗତି ଓ ଜନସାଧାରଣଙ୍କ ବିଶ୍ୱାସ କିପରି ଫେରାଇ ଆଣାଯିବ ସେନେଇ ଆଲୋଚନା ହୋଇଥିବା ଡିଜିପି ସୂଚନା ଦେଇଛନ୍ତି।ସେ କହିଛନ୍ତି, ସାମ୍ପ୍ରତିକ କିଛି ଗଣମାଧ୍ୟମ ରିପୋର୍ଟ ଲୋକଙ୍କ ମନରେ ଅସୁରକ୍ଷା ଭାବନା ସୃଷ୍ଟି କରିଛି। ଲୋକଙ୍କ ସୁରକ୍ଷା ପାଇଁ ସରକାର ପୋଲିସକୁ ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ଠିକ୍‌ ସମୟରେ ପହଞ୍ଚିଥିଲା, କିନ୍ତୁ ଭିଡ଼କୁ ସାମ୍ନା କରି ସୌମ୍ୟଙ୍କୁ ବଞ୍ଚାଇ ପାରିନଥିଲା। ଏହି ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ୍‌ କରାଯାଇଛି।

ଡିଜିପି ଆହୁରି କହିଛନ୍ତି, ପୋଲିସ ପ୍ରଶାସନର ଯେଉଁଠି ତ୍ରୁଟି ରହିଛି, ତାହାକୁ ଗଣମାଧ୍ୟମ ସାମ୍ନାକୁ ଆଣିବା ଭଲ କଥା। ସେହିପରି ପୋଲିସ ଯେଉଁଠି ସଠିକ୍‌ ପଦକ୍ଷେପ ନେଉଛି, ତାହା ମଧ୍ୟ ଲୋକଙ୍କ ସମ୍ମୁଖରେ ଆସିବା ଦରକାର। କୌଣସି ଘଟଣା ସମୟରେ ଲୋକଙ୍କ ହସ୍ତକ୍ଷେପ ଆଇନସମ୍ମତ ହୋଇପାରେ, କିନ୍ତୁ କାହାକୁ ପିଟିବାର ଅଧିକାର ଆଇନ କାହାକୁ ଦେଇନାହିଁ। ନ୍ୟାୟ ପାଇଁ ନ୍ୟାୟାଳୟ ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *