Fri. Jun 5th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଜାରି ରହିବା ସହ ବିଭିନ୍ନ ଜିଲ୍ଲାରେ ବର୍ଷା, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବିଜୁଳି ସହ ଘଡ଼ଘଡ଼ି ଓ ପ୍ରବଳ ବେଗରେ ପବନ ବହିପାରେ।

ଏହାସହ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସହ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଓ ସୁରକ୍ଷିତ ସ୍ଥାନକୁ ଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।ଗତ କିଛି ଦିନ ଧରି ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ନାକେଦମ୍ ହୋଇପଡ଼ିଥିବା ବେଳେ ଏହି ବର୍ଷା କିଛି ଆଶ୍ୱସ୍ତି ଆଣିପାରେ।

ବର୍ଷା ପରେ ତାପମାତ୍ରା ହ୍ରାସ ପାଇବା ସହ ଗରମରୁ ସାମାନ୍ୟ ଆରାମ ମିଳିବ ବୋଲି ଅନୁମାନ କରାଯାଉଛି। କୃଷି କାର୍ଯ୍ୟ ପାଇଁ ମଧ୍ୟ ଏହି ବର୍ଷା ଲାଭଦାୟକ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ୧୮ ଓ ୧୯ ତାରିଖ ପାଇଁ କୌଣସି ବିଶେଷ ୱାର୍ଣ୍ଣିଂ ଜାରି କରାଯାଇନଥିବାରୁ ସେହି ସମୟରେ ପାଗ ସାଧାରଣ ରହିପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *