Fri. Jun 5th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ନନ୍ତାର ଦଳିତ ସାହିରେ ଘଟୁଥିବା ଅସ୍ପଷ୍ଟ ଅଗ୍ନିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ନିର ମଳିକଙ୍କ ନଡା ଛପର ଘରରେ ପୁଣିପୁଣି ନିଆଁ ଲାଗୁଥିବାରୁ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।ଦୁଇ ସପ୍ତାହ ପୂର୍ବରୁ ଅଜଣା କାରଣରୁ ନିର ମଳିକଙ୍କ ନଡା ଛପର ଘରରେ ଅଗ୍ନିକାଣ୍ଡ ଘଟିଥିଲା।

ଏଥିରେ ଘରର ଚାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ କିଛି ବାଉଁଶ ଦଲମ ଅବଶିଷ୍ଟ ରହିଥିଲା। ପାରେଶ୍ୱରପୁର ଆରଆଇ ପକ୍ଷରୁ ଦିଆଯାଇଥିବା ପଲିଥିନ ପାଲ ସମ୍ପୂର୍ଣ୍ଣ ଘରକୁ ଢାକିପାରୁନଥିବାରୁ ପରିବାର ଲୋକେ ଅସ୍ଥାୟୀ ଭାବେ ନଡା ପକାଇ ରହୁଥିଲେ।ତେବେ ଗତ କିଛି ଦିନ ଧରି ସେହି ନଡାରେ ପୁଣିପୁଣି ନିଆଁ ଲାଗୁଥିବାରୁ ପରିବାର ଲୋକେ ଘର ଛାଡ଼ି ବାହାରେ ଆଶ୍ରୟ ନେଉଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଘର ଛପର ପାଇଁ ଆଣାଯାଇଥିବା ନଡାରେ ହଠାତ୍ ନିଆଁ ଲାଗିଥିଲା। ସ୍ଥାନୀୟ ଲୋକେ ପ୍ରଥମେ ନିଆଁକୁ ଆୟତ୍ତ କରିଥିଲେ। ପରେ ପୁଣି ସେହି ନଡା ଜଳିବା ସହ ପଡ଼ୋଶୀ ମଥୁରୀ ମଳିକ ଓ ଲିଟୁ ମଳିକଙ୍କ ଛପର ଘରକୁ ନିଆଁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।

ତେବେ ସମସ୍ତଙ୍କ ଉପସ୍ଥିତିରେ ନିର ମଳିକଙ୍କ ଚାଳର ନଡାରୁ ପୁଣି ଧୂଆଁ ବାହାରୁଥିବା ଦେଖାଯାଇଥିଲା। ପରେ ଦମକଳ କର୍ମଚାରୀମାନେ ପାଣି ମାଡ଼ କରି ନିଆଁ ଓ ଧୂଆଁକୁ ସମ୍ପୂର୍ଣ୍ଣ ନିର୍ବାପିତ କରିଥିଲେ।ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି। କେହି ଏହାକୁ ରହସ୍ୟମୟ ଅଗ୍ନିକାଣ୍ଡ ବୋଲି କହୁଥିବା ବେଳେ ଆଉ କେହି ଏହାକୁ ଭୌତିକ ଘଟଣା ବୋଲି ବିଶ୍ୱାସ କରୁଛନ୍ତି। ଏହି ଘଟଣା ସମୟରେ ପରିବାରର ଝିଅ ଓ ବୋହୁମାନେ ଅଚେତ ହୋଇପଡ଼ୁଥିବା ଏବଂ ଅଗ୍ନି ନିର୍ବାପଣ ପରେ ସୁସ୍ଥ ହେଉଥିବା କଥା ମଧ୍ୟ ସ୍ଥାନୀୟ ଲୋକେ କହୁଛନ୍ତି।ବିପନ୍ନ ପରିବାରକୁ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସରପଞ୍ଚ ଅରବିନ୍ଦ ଜେନା ଓ ୱାର୍ଡ ସଭ୍ୟ ସାଗର ମଳିକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *