Fri. Jun 5th, 2026

ନ୍ୟୁଜ ଡେକ୍ସ : ନୂଆପଡା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ସକାଳ ହେଉ ହେଉ ପାଣି ପାଇଁ ଲମ୍ବା ଲାଇନ ଲାଗୁଛି। କିଏ ବାଲଟି ଧରି ଛିଡା ହୋଇଛି ତ ଆଉ କିଏ ଗରା ଧରି ପାଣି ଆସିବାକୁ ଚାହିଁ ବସିଛି। ଖଡିଆଳ ବ୍ଲକ ଲାଞ୍ଜି ପଞ୍ଚାୟତର ମତ୍ରୀ ତରାଇ ଗାଁରେ ଏବେ ପାଣି ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଛି।

ଗାଁର ଶବରପଡାରେ ପ୍ରାୟ ୧୨୦ଟି ପରିବାର ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ରହିଛି ମାତ୍ର ଗୋଟିଏ ନଳକୂପ। ସେହି ନଳକୂପରୁ ମଧ୍ୟ ମଇଳା ଓ ଦୂଷିତ ପାଣି ବାହାରୁଥିବା ଅଭିଯୋଗ ହୋଇଛି। ପାଣି ଅପରିଷ୍କାର ବୋଲି ଜାଣିଥିଲେ ମଧ୍ୟ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ସେହି ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। ଗୋଟିଏ ନଳକୂପ ଉପରେ ଏତେ ସଂଖ୍ୟକ ଲୋକ ନିର୍ଭର କରୁଥିବାରୁ ପ୍ରତିଦିନ ସକାଳୁ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳୁଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ ଗାଁରେ ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯାଇ ଘରେ ଘରେ ପାଇପ ସଂଯୋଗ ମଧ୍ୟ ଦିଆଯାଇଛି।

କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଏବଂ ନିମ୍ନମାନର କାମ ଯୋଗୁଁ ପ୍ରକଳ୍ପ ଠିକ୍‌ ଭାବେ କାମ କରୁନାହିଁ। ପାଇପ ମାଧ୍ୟମରେ ମଇଳା ଓ ଦୂଷିତ ପାଣି ଆସୁଥିବାବେଳେ ଦୀର୍ଘଦିନ ହେବ ଜଳ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଗାଁବାସୀମାନେ ବାରମ୍ବାର ନୂଆ ନଳକୂପ ସ୍ଥାପନ ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସମାଧାନ ମିଳୁନଥିବା ଅଭିଯୋଗ କରିଛନ୍ତି।

ଏପରିକି ଖଡିଆଳ ବ୍ଲକ ଅଧ୍ୟକ୍ଷା ମଧ୍ୟ ଏହି ସମସ୍ୟା ସମ୍ପର୍କରେ ସମ୍ବନ୍ଧିତ ବିଭାଗକୁ ଜଣାଇଥିଲେ, ତଥାପି ସ୍ଥିତିରେ କୌଣସି ସୁଧାର ଆସିନାହିଁ।ଏହି ଘଟଣାକୁ ନେଇ ନୂଆପଡା ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଥିବାରୁ ପ୍ରଶାସନ ଶୀଘ୍ର ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *