Wed. Jun 3rd, 2026

ନ୍ୟୁଜ ଡେକ୍ସ : ସେ ଦେଖିବାକୁ ଯେତିକି ସୁନ୍ଦର, ତାଙ୍କ ଅଭିନୟ ସେତିକି ଦମଦାର। ଦକ୍ଷିଣ ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଅଭିନେତ୍ରୀ ତ୍ରିଶା କୃଷ୍ଣନ ଆଜି କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ତ୍ରିଶାଙ୍କର ସ୍ୱପ୍ନ କେବେ ଅଭିନେତ୍ରୀ ହେବା ନଥିଲା। ସେ ଜଣେ କ୍ରିମିନାଲ ସାଇକୋଲୋଜିଷ୍ଟ ହୋଇ ଅପରାଧୀଙ୍କ ମନସ୍ତତ୍ତ୍ୱ ଅଧ୍ୟୟନ କରିବାକୁ ଚାହୁଁଥିଲେ।

ହେଲେ ଭାଗ୍ୟ ତାଙ୍କୁ ନେଇଆସିଥିଲା ଗ୍ଲାମର ଦୁନିଆକୁ, ଯେଉଁଠାରେ ସେ ହୋଇଯାଇଥିଲେ ସାଉଥ୍ ସିନେମାର ‘କୁଇନ୍’।୧୯୮୩ ମସିହାରେ ଚେନ୍ନାଇର ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ତ୍ରିଶା। ତାଙ୍କ ବାପା ଚେନ୍ନାଇର ଏକ ପଞ୍ଚତାରକା ହୋଟେଲରେ ମ୍ୟାନେଜର ଭାବେ କାମ କରୁଥିଲେ। ପିଲାଦିନର କିଛି ସମୟ ସେ ନ୍ୟୁୟର୍କରେ ମଧ୍ୟ କାଟିଥିଲେ। ପାଠପଢ଼ାରେ ଖୁବ୍ ମେଧାବୀ ଥିବା ତ୍ରିଶାଙ୍କର ଗଣିତ ଓ ବିଜ୍ଞାନ ପ୍ରତି ଭାରି ରୁଚି ଥିଲା। ସେତେବେଳେ ଗ୍ଲାମର ଦୁନିଆ ସହ ତାଙ୍କର କୌଣସି ସମ୍ପର୍କ ନଥିଲା। କଲେଜରେ ପଢ଼ୁଥିବା ସମୟରେ ତ୍ରିଶା କିଛି ବିଉଟି କଣ୍ଟେଷ୍ଟରେ ଭାଗ ନେଇଥିଲେ। ୧୯୯୯ରେ ‘ମିସ୍ ମାଡ୍ରାସ’ ଟାଇଟଲ୍ ଜିତିବା ପରେ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଥିଲା।

ମଡେଲିଂ ଓ ବିଜ୍ଞାପନ ଜଗତରୁ ତାଙ୍କ ପାଇଁ ଅଭିନୟର ଦ୍ୱାର ଖୋଲିଯାଇଥିଲା। ସାତ ବର୍ଷ ଧରି ବାଲେ ନୃତ୍ୟ ଶିଖିଥିବାରୁ କ୍ୟାମେରା ଆଗରେ ତାଙ୍କ ଆତ୍ମବିଶ୍ୱାସ ଆହୁରି ବଢ଼ିଥିଲା।୧୯୯୯ରେ ‘ଜୋଡ଼ି’ ଫିଲ୍ମରେ ସପୋର୍ଟିଂ ରୋଲ୍‌ ମାଧ୍ୟମରେ ତ୍ରିଶା ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୨୦୦୩ରେ ମୁକ୍ତିଲାଭ କରିଥିବା ‘ସାମି’ ଫିଲ୍ମ ତାଙ୍କୁ ପ୍ରକୃତ ପରିଚୟ ଦେଇଥିଲା। ଏହାପରେ ଥାଲାପତି ବିଜୟଙ୍କ ସହ ‘ଘିଲ୍ଲି’ ଫିଲ୍ମରେ ଅଭିନୟ କରି ସେ ରାତାରାତି ସୁପରଷ୍ଟାର ହୋଇଯାଇଥିଲେ। କେବଳ ତାମିଲ ନୁହେଁ, ତେଲୁଗୁ ସିନେମାରେ ମଧ୍ୟ ସେ ନିଜ ଦକ୍ଷତା ପ୍ରମାଣ କରିଥିଲେ। ପ୍ରଭାସଙ୍କ ସହ ‘ବର୍ଷମ’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ଆୱାର୍ଡ ହାସଲ କରିଥିଲେ। ତେବେ ଗତ କିଛି ମାସ ହେବ ତ୍ରିଶା ନିଜ ଅଭିନୟ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ୧୫ ବର୍ଷ ପରେ ବିଜୟଙ୍କ ସହ ‘ଲିଓ’ ଫିଲ୍ମରେ ନଜର ଆସିବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ସୋସିଆଲ ମିଡିଆରେ ମଧ୍ୟ ତ୍ରିଶା ବିଜୟଙ୍କ ସହ ଅନେକ ଫଟୋ ଶେୟାର କରୁଥିବାରୁ ଦୁହିଁଙ୍କ ଆଫେୟାର ନେଇ ଗୁଜବ ଜୋର ଧରିଥିଲା। ଏପରିକି ବିଜୟଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଥିବା ବିବାଦ ପଛରେ ମଧ୍ୟ ତ୍ରିଶାଙ୍କ ନାଁ ଯୋଡ଼ାଯାଉଛି। ହେଲେ ଏନେଇ ଏଯାଏଁ ଦୁହିଁଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।କୌଣସି ବଲିଉଡ୍ କନେକ୍ସନ୍ କିମ୍ବା ଗଡ଼ଫାଦର ଛଡ଼ା ତ୍ରିଶା ନିଜ ପରିଶ୍ରମ ଓ ଦକ୍ଷତା ବଳରେ ଆଜି ଦକ୍ଷିଣ ଭାରତୀୟ ସିନେମାରେ ଏକ ବଡ଼ ସ୍ଥାନ ସୃଷ୍ଟି କରିପାରିଛନ୍ତି। କ୍ରିମିନାଲ ସାଇକୋଲୋଜିଷ୍ଟ ହେବାର ସ୍ୱପ୍ନ ପୂରଣ ନହେଲେ ମଧ୍ୟ ନିଜ ଅଭିନୟ ଜାଦୁରେ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *