Fri. Jun 5th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ତେଲ ସଙ୍କଟକୁ ନେଇ ବଢୁଥିବା ଆଶଙ୍କା ମଧ୍ୟରେ ଯୋଗାଣ ବିଭାଗ ପ୍ରମୁଖ ସଚିବ ବଡ଼ ସୂଚନା ଦେଇଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ ରାଜ୍ୟରେ କୌଣସି ତେଲ ସଙ୍କଟ ନାହିଁ ଏବଂ ଲୋକମାନେ ଭୟଭୀତ ହୋଇ ଅତ୍ୟାଧିକ ତେଲ କ୍ରୟ କରିବାର ଆବଶ୍ୟକତା ନାହିଁ।ପ୍ରମୁଖ ସଚିବଙ୍କ କହିବା ଅନୁସାରେ, ରାଜ୍ୟର ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି।

ତେବେ ଏହା ତେଲ ଅଭାବ ଯୋଗୁ ନୁହେଁ, ବରଂ ମ୍ୟାନେଜମେଣ୍ଟର ଅଭାବ କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣ ସ୍ଥିତିରେ ମଧ୍ୟ କେତେକ ଟାଙ୍କିରେ ଏଭଳି ଡ୍ରାଏ ଆଉଟ ସ୍ଥିତି ଦେଖାଯାଇଥାଏ ବୋଲି ସେ କହିଛନ୍ତି। ବର୍ତ୍ତମାନ ସ୍ଥିତି ଉପରେ ନିରନ୍ତର ମନିଟରିଂ ଚାଲିଥିବା ସହ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ଅନ୍ୟପଟେ, ରାଜ୍ୟ ଘରୋଇ ବସ ମାଲିକ ସଂଘ ତେଲ ସମସ୍ୟାକୁ ନେଇ ଗୁରୁତର ଆଶଙ୍କା ପ୍ରକାଶ କରିଛି। ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଥିବାରୁ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଯାତ୍ରୀବାହୀ ବସ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇପାରେ।

ପରିସ୍ଥିତି ଏଭଳି ରହିଲେ ଘରୋଇ ବସ ଚଳାଚଳ ବନ୍ଦ କରିବାକୁ ସଂଘ ବାଧ୍ୟ ହେବ ବୋଲି ସେ କହିଛନ୍ତି।ତେବେ ଏହି ଆଶଙ୍କାକୁ ଖଣ୍ଡନ କରି ଯୋଗାଣ ବିଭାଗ ପ୍ରମୁଖ ସଚିବ କହିଛନ୍ତି ଯେ, ଘରୋଇ ବସ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ। ବସ ଚଳାଚଳ ପାଇଁ କୌଣସି ସମସ୍ୟା ନଥିବା ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *