Fri. Jun 5th, 2026

ନ୍ୟୁଜ ଡେକ୍ସ : ସାରା ଦେଶରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଏବଂ ସଠିକ୍ କରିବା ଲକ୍ଷ୍ୟରେ ଭାରତୀୟ ନିର୍ବାଚନ କମିଶନ (ECI) ଏସ୍‌ଆଇଆର୍‌ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଛି। ଜନଗଣନା ପାଇଁ ଚାଲିଥିବା ‘ହାଉସ୍ ଲିଷ୍ଟିଂ’ ପ୍ରକ୍ରିୟାକୁ ଧ୍ୟାନରେ ରଖି ଏହି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

ଏହି ପର୍ଯ୍ୟାୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ପଞ୍ଜାବ ଓ ଦିଲ୍ଲୀ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଭୋଟର ତାଲିକା ପୁନଃନିରୀକ୍ଷଣ କାମ ଆରମ୍ଭ ହେବ। ଭୋଟର ତାଲିକାରୁ ତ୍ରୁଟି ଦୂର କରିବା ସହ ନିର୍ବାଚନ ପ୍ରକ୍ରିୟା ଉପରେ ସାଧାରଣ ଲୋକଙ୍କ ଭରସାକୁ ଅଧିକ ମଜବୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।ଏହି ବୃହତ୍ ଅଭିଯାନ ପାଇଁ ନିର୍ବାଚନ କମିଶନ ପ୍ରାୟ ୩.୯୪ ଲକ୍ଷ ବୁଥ୍ ଲେଭଲ୍ ଅଫିସର୍‌ (BLO)ଙ୍କୁ ମୁତୟନ କରିଛନ୍ତି। ସେମାନେ ଘରେ ଘରେ ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ। ଏହି ପର୍ଯ୍ୟାୟରେ ପ୍ରାୟ ୩୬.୭୩ କୋଟି ମତଦାତାଙ୍କ ଭେରିଫିକେସନ କରାଯିବ।

ସେହିପରି ରାଜନୈତିକ ଦଳମାନଙ୍କ ପକ୍ଷରୁ ନିଯୁକ୍ତ ୩.୪୨ ଲକ୍ଷ ବୁଥ୍ ଲେଭଲ୍ ଏଜେଣ୍ଟ (BLA) ମଧ୍ୟ ଏହି ପ୍ରକ୍ରିୟାରେ ସହଯୋଗ କରିବେ। ପୁନଃନିରୀକ୍ଷଣ କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ପାଇଁ କମିଶନ ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ନିଜସ୍ୱ BLA ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଶେଷ ହେବା ପରେ କେବଳ ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଛାଡ଼ି ସାରା ଦେଶରେ SIR କାର୍ଯ୍ୟ ସମାପ୍ତ ହୋଇଯିବ।

ପାଣିପାଗ ଓ ବରଫପାତ ଭଳି ଭୌଗୋଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ତିନୋଟି ଅଞ୍ଚଳ ପାଇଁ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଜାରି କରାଯିବ ବୋଲି କମିଶନ କହିଛନ୍ତି। ପୂର୍ବରୁ ହୋଇଥିବା ଦୁଇଟି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୫୯ କୋଟି ଭୋଟରଙ୍କ ତାଲିକା ପୁନଃନିରୀକ୍ଷଣ ସମ୍ପନ୍ନ ହୋଇସାରିଛି। ଏବେ ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ଭୋଟରଙ୍କୁ ସାମିଲ କରି ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ସଠିକ୍ କରିବାକୁ କମିଶନ ଯୋଜନା କରିଛନ୍ତି।

Leave a Reply

Your email address will not be published. Required fields are marked *