Fri. Jun 5th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପରିବେଶ ସୁରକ୍ଷା ଓ ଆଧୁନିକ ପରିବହନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଓଏସଆରଟିସିର ସମସ୍ତ ଗାଡ଼ିକୁ ପର୍ଯ୍ୟାୟକ୍ରମେ ଇଲେକ୍ଟ୍ରିକ୍ ଭେହିକଲ୍‌ (ଇଭି)ରେ ପରିଣତ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ରାଜ୍ୟରେ ଇଭି ଗାଡ଼ିର ବ୍ୟବହାର ବଢ଼ାଇବା ସହ ପ୍ରଦୂଷଣ ହ୍ରାସ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନର କୌଣସି ଅଭାବ ରହିବ ନାହିଁ। ଏନେଇ ବିଭିନ୍ନ ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହ ପ୍ରାଥମିକ ଆଲୋଚନା ଶେଷ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ଟି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ଏପର୍ଯ୍ୟନ୍ତ ୩୦ଟି କାମ ସମ୍ପୂର୍ଣ୍ଣ ହୋଇଛି। ସେଥିମଧ୍ୟରୁ ୧୫ଟି ଚାର୍ଜିଂ ଷ୍ଟେସନ କେବଳ ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଯୋଜନା ରହିଛି। ସେ କହିଛନ୍ତି ଯେ, ଇଭି ଗାଡ଼ି ବ୍ୟବହାରକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ବିଶେଷ ଆଗ୍ରହ ରହିଛି। ପରିବେଶ ପ୍ରଦୂଷଣ କମାଇବା, ଇନ୍ଧନ ଖର୍ଚ୍ଚ ହ୍ରାସ କରିବା ଓ ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ଇଭି ଗାଡ଼ିର ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ସରକାର ମନେ କରୁଛନ୍ତି। ଏହାଦ୍ୱାରା କେବଳ ପରିବେଶ ସୁରକ୍ଷିତ ହେବ ନୁହେଁ, ଦୀର୍ଘମିୟାଦରେ ବହୁ ଆର୍ଥିକ ସଞ୍ଚୟ ମଧ୍ୟ ସମ୍ଭବ ହେବ।ପରିବହନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାର ନିଜେ ଏହି ପଦକ୍ଷେପକୁ ଆଦର୍ଶ ଭାବେ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ କାରକେଡ୍‌ର ସଂଖ୍ୟା ଅଧା କରିସାରିଥିବାବେଳେ ଆଗାମୀ ଦିନରେ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଅନୁସରଣ କରିବେ।

ଅନାବଶ୍ୟକ ଗାଡ଼ି ବ୍ୟବହାର କମାଇ ସରକାରୀ ସ୍ତରରେ ସଞ୍ଚୟ ଓ ସରଳତାକୁ ଗୁରୁତ୍ୱ ଦିଆଯାଉଛି।ନିଜେ ପରିବହନ ମନ୍ତ୍ରୀ ବିଭୂତି ଜେନା ଆଜିଠାରୁ ଇଭି ଗାଡ଼ି ବ୍ୟବହାର କରିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକ ନଥିଲେ ସେ ବସରେ ଯାତାୟାତ କରିବେ। ସାଧାରଣ ଲୋକଙ୍କ ମଧ୍ୟରେ ଇଭି ଗାଡ଼ି ପ୍ରତି ସଚେତନତା ଓ ଆସ୍ଥା ବଢ଼ାଇବା ପାଇଁ ଏହା ଏକ ସକାରାତ୍ମକ ସନ୍ଦେଶ ହେବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଏହି ନୂତନ ପରିବହନ ନୀତିକୁ ନେଇ ପରିବେଶବିଦ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାଗତ ଜଣାପଡ଼ୁଛି। ଆଗାମୀ ଦିନରେ ରାଜ୍ୟରେ ଇଭି ଭିତ୍ତିକ ପରିବହନ ବ୍ୟବସ୍ଥା ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *