Wed. Jun 3rd, 2026

ନ୍ୟୁଜ ଡେକ୍ସ : ବଲିଉଡରେ ଏବେ ସବୁଠି ଚର୍ଚ୍ଚାରେ ରହିଛି ପୌରାଣିକ ଫିଲ୍ମ ‘କୃଷ୍ଣାବତାରମ୍ ପାର୍ଟ ଓ୍ବାନ: ଦ ହାର୍ଟ’। ରିଲିଜ ପରଠାରୁ ଦର୍ଶକଙ୍କ ଭରପୁର ଭଲପାଇବା ପାଉଥିବା ଏହି ଫିଲ୍ମ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି। ପ୍ରଥମ ଦିନରେ ସାଧାରଣ ଆରମ୍ଭ କରିଥିବା ଏହି ଚଳଚ୍ଚିତ୍ର ଏବେ କୋଟି କୋଟି ଟଙ୍କାର କଲେକ୍ସନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଫିଲ୍ମଟି ଦମଦାର ବ୍ୟବସାୟ କରୁଥିବା ବେଳେ ୨୦୨୬ର ୱର୍ଲ୍ଡୱାଇଡ୍ ଟପ୍-୧୦ ଫିଲ୍ମ ତାଲିକାରେ ମଧ୍ୟ ନିଜ ସ୍ଥାନ ସୁନିଶ୍ଚିତ କରିଛି।ପୁରାଣ କଥାବସ୍ତୁ ଉପରେ ଆଧାରିତ ଏହି ଫିଲ୍ମରେ ଭଗବାନ କୃଷ୍ଣଙ୍କ ଜୀବନ ସହ ରୁକ୍ମିଣୀ ଏବଂ ସତ୍ୟଭାମାଙ୍କ କାହାଣୀକୁ ଅତ୍ୟନ୍ତ ଭାବପ୍ରବଣ ଓ ଭବ୍ୟ ଭାବରେ ଉପସ୍ଥାପନ କରାଯାଇଛି। ଫିଲ୍ମର ଭିଜୁଆଲ୍ସ ଏବଂ ଭିଏଫଏକ୍ସ ଦର୍ଶକଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି। ଏହାକୁ ନେଇ ଏବେଠାରୁ ନିତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ ସହ ତୁଳନା ଆରମ୍ଭ ହୋଇଯାଇଛି। ବକ୍ସ ଅଫିସ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ୪୨ ଲକ୍ଷ ଟଙ୍କା କଲେକ୍ସନ କରିଥିଲା।

ତେବେ ଦର୍ଶକଙ୍କ ମୁଖେମୁଖି ପ୍ରଶଂସା ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ିବା ପରେ ଏହାର ଆୟ ଦ୍ରୁତ ଭାବେ ବୃଦ୍ଧି ପାଇଥିଲା। ଦ୍ୱିତୀୟ ଦିନରେ ଫିଲ୍ମଟି ୧ କୋଟି ୧୫ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଚତୁର୍ଥ ଦିନରେ ଏହା ପ୍ରାୟ ୩ କୋଟି ୫୫ ଲକ୍ଷ ଟଙ୍କା କଲେକ୍ସନ କରିଥିଲା। ମାତ୍ର ୮ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ଏହା ୧୩ କୋଟିରୁ ଅଧିକ ଟଙ୍କା ଆୟ କରିସାରିଛି।ବିଦେଶୀ ବଜାରରେ ମଧ୍ୟ ଫିଲ୍ମଟିକୁ ମିଳୁଛି ଭରପୁର ସମର୍ଥନ। ବିଦେଶରେ ୭ ଦିନ ମଧ୍ୟରେ ଏହା ୧୨ କୋଟି ଟଙ୍କାରୁ ଅଧିକ କଲେକ୍ସନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବିଶେଷ କରି ଭାରତୀୟ ପୌରାଣିକ କାହାଣୀ ଓ ଆଧ୍ୟାତ୍ମିକତାକୁ ଭଲପାଉଥିବା ଦର୍ଶକମାନେ ଫିଲ୍ମଟିକୁ ବହୁତ ପସନ୍ଦ କରୁଥିବା ଦେଖାଯାଉଛି।ହାର୍ଦ୍ଦିକ ଗଜ୍ଜରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ବ୍ରହ୍ମ ବୈବର୍ତ୍ତ ପୁରାଣ ଦ୍ୱାରା ଅନୁପ୍ରାଣିତ।

ଫିଲ୍ମରେ ସିଦ୍ଧାର୍ଥ ଗୁପ୍ତା ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ସଂସ୍କୃତି ଜୟାନା ସତ୍ୟଭାମା ଭୂମିକାରେ ଦର୍ଶକଙ୍କ ମନ ଜିଣିଛନ୍ତି। ଏହାସହ ନିବାସିନୀ କୃଷ୍ଣନ ରୁକ୍ମିଣୀ ଭୂମିକାରେ ଏବଂ ସୁଷ୍ମିତା ଭଟ୍ଟ ରାଧା ଭୂମିକାରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି। ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ଏବଂ ଦର୍ଶକଙ୍କ ଭଲପାଇବା ଫିଲ୍ମଟିକୁ ଏକ ନୂଆ ଉଚ୍ଚତାକୁ ନେଇଯାଇଥିବା ଚର୍ଚ୍ଚା ହେଉଛି। ବକ୍ସ ଅଫିସରେ ‘କୃଷ୍ଣ’ ଏବଂ ‘ଭାମା’ଙ୍କ ଯୋଡିର ଯାଦୁ ଏବେ ମଧ୍ୟ ଜାରି ରହିଛି। ଆଗାମୀ ଦିନରେ ଫିଲ୍ମଟି ଆହୁରି ବଡ଼ ରେକର୍ଡ ସୃଷ୍ଟି କରିପାରେ ବୋଲି ଚଳଚ୍ଚିତ୍ର ବିଶ୍ଳେଷକମାନେ ଆକଳନ କରୁଛନ୍ତି।

Leave a Reply

Your email address will not be published. Required fields are marked *