Thu. Jun 4th, 2026

ନ୍ୟୁଜ ଡେକ୍ସ : ବ୍ରିଟେନର ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର ନିଜ ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଥିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ଷ୍ଟାର୍ମର ତାଙ୍କ ଏହି ଯୋଜନା ସମ୍ପର୍କରେ ଜଣେ ଘନିଷ୍ଠ ସହଯୋଗୀଙ୍କୁ ଅବଗତ କରାଇଛନ୍ତି। ଶାସକ ଲେବର୍ ପାର୍ଟି ମଧ୍ୟରେ ଲାଗିଥିବା ଆଭ୍ୟନ୍ତରୀଣ ବିବାଦ ଓ ବରିଷ୍ଠ ନେତାମାନଙ୍କ ଚାପ ମଧ୍ୟରେ ସେ ସମ୍ମାନଜନକ ଭାବରେ ପଦ ଛାଡିବାକୁ ଚାହୁଁଥିବା କୁହାଯାଉଛି।

ସରକାର ଭିତରେ ଚାଲିଥିବା ଅସ୍ଥିରତାକୁ ଆଉ ଦୀର୍ଘ ସମୟ ଟାଣିବାକୁ ଷ୍ଟାର୍ମର ଇଚ୍ଛୁକ ନୁହଁନ୍ତି। ଖୁବ୍‌ଶୀଘ୍ର ନୂଆ ନେତୃତ୍ୱ ଚୟନ ପାଇଁ ସମୟସୀମା ଘୋଷଣା କରାଯାଇପାରେ ବୋଲି ରାଜନୈତିକ ସୂତ୍ରରୁ ସୂଚନା ମିଳିଛି।ନିକଟରେ ବ୍ରିଟେନରେ ଅନୁଷ୍ଠିତ ଆଞ୍ଚଳିକ ନିର୍ବାଚନରେ ଶାସକ ଲେବର ପାର୍ଟିକୁ ବଡ଼ ଝଟକା ଲାଗିଥିଲା।

ଦଳ ପ୍ରାୟ ୧୦୦୦ରୁ ଅଧିକ କାଉନସିଲ୍ ଆସନ ହରାଇଥିବା ବେଳେ ସେମାନଙ୍କ ଦୃଢ଼ ଗଡ଼ ଭାବେ ପରିଚିତ ୱେଲ୍ସ ଉପରୁ ମଧ୍ୟ ନିୟନ୍ତ୍ରଣ କମିଥିବା ଦେଖାଯାଇଛି। ଏହି ପରାଜୟ ପରେ ସରକାର ଭିତରେ ଅସନ୍ତୋଷ ବଢ଼ିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ୱେସ ଷ୍ଟ୍ରିଟିଙ୍ଗ ସମେତ କ୍ୟାବିନେଟର କେତେକ ପ୍ରମୁଖ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି।ଏହି ପରିସ୍ଥିତି ବ୍ରିଟେନର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *