ନ୍ୟୁଜ ଡେକ୍ସ : ଆମେରିକାର ଆଇଡାହୋ ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ବେଳେ ଘଟିଛି ଅଭାବନୀୟ ଘଟଣା। ଆକାଶରେ କୌଶଳ ପ୍ରଦର୍ଶନ କରୁଥିବା ସମୟରେ ଆମେରିକୀୟ ନୌସେନାର ଦୁଇଟି ଅତ୍ୟାଧୁନିକ EA-18G Growler ଯୁଦ୍ଧବିମାନ ପରସ୍ପର ସହ ଧକ୍କା ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଭୟଙ୍କର ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନାହିଁ ଏବଂ ସମସ୍ତ ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଇଡାହୋର ବୋଇସ୍ ଠାରେ ‘ଗୋୱେନ ଥଣ୍ଡର ଓପନ୍ ହାଉସ୍ ଆଣ୍ଡ ଏୟାର ଶୋ’ କାର୍ଯ୍ୟକ୍ରମ ଚାଲିଥିଲା। ଏଥିରେ ଆମେରିକୀୟ ନୌସେନାର ଇଲେକ୍ଟ୍ରୋନିକ୍ ଆଟାକ୍ ସ୍କ୍ୱାଡ୍ରନ୍ର ବିମାନଗୁଡ଼ିକ ଆକାଶରେ ଜଟିଳ ମ୍ୟାନୁଭର ଓ ଫର୍ମେସନ୍ ପ୍ରଦର୍ଶନ କରୁଥିଲେ। ଶନିବାର ଅପରାହ୍ନରେ ଏହି ପ୍ରଦର୍ଶନ ସମୟରେ ହଠାତ୍ ଦୁଇଟି EA-18G Growler ବିମାନ ପରସ୍ପର ସହ ଘସି ହୋଇଯାଇଥିଲା। ଏହା ଏକ ‘ମିଡ୍-ଏୟାର କଲିଜନ୍’ ଥିଲା, ଯାହା ବଡ଼ ଦୁର୍ଘଟଣାର ରୂପ ନେଇପାରିଥାନ୍ତା। ଧକ୍କା ପରେ ମଧ୍ୟ ଉଭୟ ବିମାନର ପାଇଲଟମାନେ ଅସାଧାରଣ ଧୈର୍ଯ୍ୟ ଓ ନିପୁଣତାର ପରିଚୟ ଦେଇଥିଲେ। ବିମାନଗୁଡ଼ିକ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇନଥିଲା ଏବଂ ପାଇଲଟମାନେ ସଫଳତାର ସହ ସେଗୁଡ଼ିକୁ ନିକଟସ୍ଥ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।
ଆମେରିକୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ଉଭୟ ବିମାନର କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ କାହାରି କୌଣସି ଆହତ ହୋଇନାହିଁ। ଭୂପୃଷ୍ଠରେ ମଧ୍ୟ କୌଣସି କ୍ଷତି ଘଟିନାହିଁ।ତେବେ ଏହି ଘଟଣାକୁ ଆମେରିକୀୟ ସେନା ଗୁରୁତ୍ୱର ସହ ନେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଧକ୍କା କାରଣରୁ ଉଭୟ ବିମାନର ବାହ୍ୟ ଅଂଶରେ କ୍ଷତି ପହଞ୍ଚିଛି। ପ୍ରକୃତରେ ଦୁର୍ଘଟଣାର କାରଣ କ’ଣ ଥିଲା, ଏହା ବୈଷୟିକ ତ୍ରୁଟି ନା ପାଇଲଟଙ୍କ ଭୁଲ ଆକଳନ, ସେନେଇ ନୌସେନା ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଇଛି।EA-18G Growler ହେଉଛି ଆମେରିକାର ସବୁଠାରୁ ଆଧୁନିକ ଇଲେକ୍ଟ୍ରୋନିକ୍ ୱାରଫେୟାର ବିମାନ ମଧ୍ୟରୁ ଗୋଟିଏ। ଏହି ଘଟଣା ପରେ ଏୟାର ଶୋ’ର ସୁରକ୍ଷା ବ୍ୟବସ୍ଥା ଓ ବିମାନଗୁଡ଼ିକ ମଧ୍ୟରେ ସମନ୍ୱୟକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

