ନ୍ୟୁଜ ଡେକ୍ସ : ଦକ୍ଷିଣ-ପଶ୍ଚିମ ଚୀନ୍ର ଗୁଆଙ୍ଗସି ଅଞ୍ଚଳର ଲିଉଝୋଉ ସହରରେ ସୋମବାର ଘଟିଥିବା ଶକ୍ତିଶାଳୀ ଭୂକମ୍ପ ବ୍ୟାପକ ବିନାଶ ଘଟାଇଛି। ଅଧାରାତିର ନିରବତା ଭିତରେ ଆସିଥିବା ୫.୨ ତୀବ୍ରତାର ଭୂକମ୍ପରେ ସମଗ୍ର ସହର ଥରି ଉଠିଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏକାଧିକ ବହୁତଳ ଅଟ୍ଟାଳିକା ତାସ୍ ଘର ଭଳି ଭୁଶୁଡ଼ି ପଡିଥିଲା।
ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଚୀନ୍ ଗଣମାଧ୍ୟମ ଏବଂ ସରକାରୀ ରିପୋର୍ଟ ଅନୁଯାୟୀ, ରବିବାର ରାତି ପ୍ରାୟ ୧୨ଟା ୨୧ ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଚାଇନା ଆର୍ଥକ୍ୱେକ୍ ନେଟୱାର୍କ ସେଣ୍ଟରର ତଥ୍ୟ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଲିଉନାନ୍ ଜିଲ୍ଲାରେ ଭୂପୃଷ୍ଠରୁ ମାତ୍ର ୮ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପର ଗଭୀରତା କମ୍ ଥିବାରୁ ଏହାର ପ୍ରଭାବ ବେଶ୍ ଭୟାବହ ହୋଇଥିଲା। ଏହି ଝଟକାରେ ୧୩ଟି ବଡ଼ କୋଠା ଓ ଆବାସିକ ବିଲ୍ଡିଂ ଧସି ପଡିଥିଲା।
ଭୟଭୀତ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ରାସ୍ତାକୁ ଦୌଡି ଆସିଥିଲେ। ଏହି ବିପର୍ଯ୍ୟୟରେ ଜଣେ ବୟସ୍କ ଦମ୍ପତିଙ୍କ ମୃତ୍ୟୁ ସବୁଠାରୁ କରୁଣ ଚିତ୍ର ସୃଷ୍ଟି କରିଛି। ୬୩ ବର୍ଷୀୟ ସ୍ୱାମୀ ଏବଂ ୫୩ ବର୍ଷୀୟା ସ୍ତ୍ରୀ ନିଜ ଘରର ଭଗ୍ନାବଶେଷ ତଳେ ଚାପି ହୋଇ ପ୍ରାଣ ହରାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ସହ ଆଉ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଅବସ୍ଥା ବିପଦମୁକ୍ତ ଥିବା ସୂଚନା ମିଳିଛି।ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା ଜଣେ ୯୧ ବର୍ଷୀୟ ବୃଦ୍ଧଙ୍କୁ ଦୀର୍ଘ ସମୟ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରିବା।
ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। ତେବେ ଏବେ ବି ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ରହିଛି। ଭଗ୍ନାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ ତାହା ଖୋଜିବା ପାଇଁ ପ୍ରଶାସନ ସ୍ନିଫର୍ ଡଗ୍ ଏବଂ ଡ୍ରୋନ୍ର ସହାୟତା ନେଉଛି। ଚୀନ୍ ସରକାର ଏହି ବିପର୍ଯ୍ୟୟକୁ ଗୁରୁତ୍ୱର ସହ ନେଇ ଲେଭେଲ-୩ ଓ ଲେଭେଲ-୪ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ତୁରନ୍ତ ୫୧ଟି ଅଗ୍ନିଶମ ଗାଡ଼ି ଓ ୩୧୫ ଜଣ ଉଦ୍ଧାରକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ଜେସିବି ଓ ଭାରୀ ଯନ୍ତ୍ର ସାହାଯ୍ୟରେ ଭଗ୍ନାବଶେଷ ହଟାଇବା କାମ ଜୋରଦାର ଭାବେ ଚାଲିଛି।

