ନ୍ୟୁଜ ଡେକ୍ସ : ପୁଣିଥରେ ଅଦିନିଆ ରଥଯାତ୍ରାକୁ ନେଇ ବିବାଦରେ ଆସିଛି ଇସ୍କନ। ଆମେରିକାର ହ୍ୟୁଷ୍ଟନ ଇସ୍କନ ପକ୍ଷରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଖୋଲା କାର ଡାଲାରେ ରଖି ରଥଯାତ୍ରା କରାଯାଇଥିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀ ଓ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି।
ଗତ ଶନିବାର ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ପ୍ରବାସୀ ଓଡ଼ିଆ ଓ ଭକ୍ତମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ରଥଯାତ୍ରା ପାଳନ କରାଯାଇଥିବାରୁ ଅସନ୍ତୋଷ ଆହୁରି ବଢ଼ିଛି। କେବେ ଓ କିପରି ଏଭଳି ଅଦିନିଆ ରଥଯାତ୍ରା ଉପରେ ରୋକ ଲାଗିବ, ସେନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।ଅନ୍ୟପଟେ ଏହି ଘଟଣାକୁ ନେଇ ଇସ୍କନ ପକ୍ଷରୁ ସଫେଇ ମଧ୍ୟ ଦିଆଯାଇଛି। ତଥାପି ଏହାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏପଟେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ଜୁନ୍ ୧୪ରେ ଅଦିନିଆ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।
ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ଏହି ଆୟୋଜନ କରାଯିବାକୁ ଥିବାବେଳେ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆପତ୍ତି ଜଣାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ହାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ଅଦିନିଆ ତିଥିରେ ରଥଯାତ୍ରା ପାଳନରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା ଶାସ୍ତ୍ରାନୁସାରେ ଜୁଲାଇ ୧୪ ଓ ୧୬ ତାରିଖରେ ପାଳନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ପତ୍ରରେ କୁହାଯାଇଛି ଯେ, ନିର୍ଦ୍ଧାରିତ ତିଥି ବ୍ୟତୀତ ଅନ୍ୟ ଦିନରେ ନେତ୍ରୋତ୍ସବ କିମ୍ବା ରଥଯାତ୍ରା ପାଳନ କଲେ ଦେଶ ବିଦେଶର ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନାରେ ଆଘାତ ଲାଗିବ। ଏହାକୁ ନେଇ ଜଗନ୍ନାଥ ସଂସ୍କୃତି ସହ ଜଡିତ ଅନେକ ସଂଗଠନ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

