Thu. Jun 4th, 2026

ନ୍ୟୁଜ ଡେକ୍ସ : ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି।

କ୍ୟାବିନେଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ୪୦୦ କେଭି ଗ୍ରୀଡ୍ ବ୍ୟବସ୍ଥା ମାଧ୍ୟମରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲଗୁଡ଼ିକରେ ୨୪ ଘଣ୍ଟିଆ ବିଜୁଳି ସୁନିଶ୍ଚିତ କରାଯିବ। ସେହିପରି ମେଡିକାଲ୍ ନେଗ୍ଲିଜେନ୍ସ ମାମଲାର ଶୀଘ୍ର ସମାଧାନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଶିଳ୍ପ, ଶକ୍ତି ଓ ଖାଦ୍ୟ ଯୋଗାଣ ବିଭାଗର ବିଭିନ୍ନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ୮୫୪ କୋଟି ଟଙ୍କାର ପାୱାର ପ୍ରୋଜେକ୍ଟକୁ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି। ପାୱାର ପ୍ଲାଣ୍ଟରେ ପରିବେଶ ନିୟମକୁ କଡାକଡି କରାଯିବ ଏବଂ IPP ଗୁଡ଼ିକୁ ଏନଭାଇରମେଣ୍ଟାଲ୍ ନିୟମ ମାନିବାକୁ ପଡ଼ିବ। Odisha Power OPTCL ପକ୍ଷରୁ ୪୦୦ କେଭି ଗ୍ରୀଡ୍ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ ନିର୍ମାଣ କରାଯିବ। ଥର୍ମାଲ୍ ପଲିସିରେ ମଧ୍ୟ ସଂଶୋଧନ କରାଯାଇଛି। ପେଟ୍ରୋଲ ପମ୍ପ ଲାଇସେନ୍ସ ପ୍ରକ୍ରିୟାକୁ ସହଜ କରାଯାଇଥିବାବେଳେ ଏବେ ରିଟେଲ୍ ସେଲ୍ ଲାଇସେନ୍ସ ଆବଶ୍ୟକ ହେବ ନାହିଁ। କେବଳ କଲେକ୍ଟରଙ୍କ ଏନଓସି ହେଲେ ଯଥେଷ୍ଟ ହେବ।

କ୍ୟାବିନେଟରେ ଓଡ଼ିଶା ଜିଲ୍ଲା ଓ ସିଭିଲ୍ କୋର୍ଟର ଅଣ-ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ-୨୦୦୮ର ସଂଶୋଧନକୁ ମଧ୍ୟ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ଗ୍ରୁପ୍-ଡି କର୍ମଚାରୀମାନେ ଜୁନିୟର କ୍ଲର୍କ ପଦବୀକୁ ପଦୋନ୍ନତି ପାଇବାର ସୁଯୋଗ ପାଇବେ। ମହିଳା ଗ୍ରୁପ୍-ଡି କର୍ମଚାରୀମାନେ ମଧ୍ୟ ଜୁନିଅର କ୍ଲର୍କ ହୋଇପାରିବେ। ସେହିପରି କୋର୍ଟ ମ୍ୟାନେଜର ପଦବୀକୁ ନିୟମିତ କରାଯିବ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ହେବ।

ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ-୨୦୨୬’କୁ ମଧ୍ୟ ଅନୁମୋଦନ ମିଳିଛି। ଏହି ନୂତନ ଆଇନରେ ଉପକୂଳବର୍ତ୍ତୀ ସମ୍ପ୍ରଦାୟର ସୁରକ୍ଷା, ତଟୀୟ ଓ ଜାତୀୟ ନିରାପତ୍ତାକୁ ପ୍ରାଥମିକତା ଦିଆଯିବ। ବେଆଇନ୍ ମାଛଧରା ଉପରେ କଡ଼ା ନିୟନ୍ତ୍ରଣ ଆସିବା ସହ ୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ ହାସଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ‘ଓଡ଼ିଶା ପ୍ରତ୍ନତାତ୍ତ୍ବିକ କ୍ୟୁରେଟର ସେବା ନିୟମାବଳୀ-୨୦୨୬’କୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ରାଜ୍ୟର ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ଗଠନ କରାଯିବ। ଏହା ଦ୍ୱାରା ରାଜ୍ୟର ପ୍ରତ୍ନତାତ୍ତ୍ବିକ ସମ୍ପଦର ସଠିକ ପରିଚାଳନା ସମ୍ଭବ ହେବ ବୋଲି ସରକାର କହିଛନ୍ତି।

ଏସଟି-ଏସସି ବିଭାଗରେ ମଧ୍ୟ ବଡ଼ ଘୋଷଣା କରାଯାଇଛି। ନୂଆ ନିୟମ ଅନୁସାରେ ମୋଟ ୧୦୩୨ଟି ପଦବୀ ସୃଷ୍ଟି କରାଯିବ। ଏଥିରେ ୬୩୦ଟି ଜୁନିଅର ଆସିଷ୍ଟାଣ୍ଟ, ୨୪୯ଟି ସିନିଅର ଆସିଷ୍ଟାଣ୍ଟ, ୧୦୦ଟି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ଓ ୫୩ଟି ସେକ୍ସନ୍ ଅଫିସର ପଦବୀ ରହିଛି।

Leave a Reply

Your email address will not be published. Required fields are marked *