ନ୍ୟୁଜ ଡେକ୍ସ : ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ପ୍ରିଲିମ୍ ପରୀକ୍ଷା ପାଇଁ ଦେଶରେ ଆଉ ୩ଟି ନୂଆ ପରୀକ୍ଷା କେନ୍ଦ୍ର ଯୋଡ଼ାଯାଇଛି। ପୂର୍ବରୁ ସାରା ଦେଶରେ ମୋଟ ୮୦ଟି ପରୀକ୍ଷା କେନ୍ଦ୍ର ଥିବା ବେଳେ ଏବେ ଏହାର ସଂଖ୍ୟା ବଢ଼ି ୮୩ରେ ପହଞ୍ଚିଛି। ନୂଆ ଭାବେ ଭୁବନେଶ୍ୱର, କାନପୁର ଓ ମିରଟ ସହରକୁ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରାଯାଇଛି।ଓଡ଼ିଶାରେ ପୂର୍ବରୁ କଟକ ଓ ସମ୍ବଲପୁରରେ ୟୁପିଏସସି ପ୍ରିଲିମ୍ ପରୀକ୍ଷା କେନ୍ଦ୍ର ରହିଥିଲା।
ଏବେ ରାଜଧାନୀ ଭୁବନେଶ୍ୱରକୁ ନୂଆ କେନ୍ଦ୍ର ଭାବେ ଯୋଡ଼ାଯାଇଥିବାରୁ ରାଜ୍ୟର ପରୀକ୍ଷାର୍ଥୀମାନଙ୍କ ପାଇଁ ବଡ଼ ସୁବିଧା ସୃଷ୍ଟି ହୋଇଛି। ବିଶେଷ କରି ଭୁବନେଶ୍ୱର ଓ ଆସପାସ ଅଞ୍ଚଳର ଛାତ୍ରଛାତ୍ରୀମାନେ ଆଉ ଦୂରସ୍ଥ କେନ୍ଦ୍ରକୁ ଯିବାର ଅସୁବିଧାରୁ ମୁକ୍ତି ପାଇବେ।ୟୁପିଏସସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ କେନ୍ଦ୍ର ଯୋଡ଼ାଯିବା ପରେ କଟକ, ଲକ୍ଷ୍ନୌ ଓ ଗାଜିଆବାଦ ଭଳି ସହରରୁ ପ୍ରାୟ ୨୩ ହଜାର ପରୀକ୍ଷାର୍ଥୀ ନିଜ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିଛନ୍ତି। ଏଥିରୁ ଅନେକ ପରୀକ୍ଷାର୍ଥୀ ନିଜ ଘର ନିକଟସ୍ଥ କେନ୍ଦ୍ର ବାଛିଥିବା ଜଣାପଡ଼ିଛି।
ବିଶେଷ ଭାବେ ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କ ପାଇଁ ଏହି ନୂଆ କେନ୍ଦ୍ରଗୁଡ଼ିକ ବହୁତ ସହାୟକ ହେବ ବୋଲି କୁହାଯାଉଛି। ଦୂର ଯାତ୍ରାର ଅସୁବିଧା କମିବା ସହ ପରୀକ୍ଷା ସମୟରେ ସେମାନେ ଅଧିକ ସୁବିଧାରେ ଅଂଶଗ୍ରହଣ କରିପାରିବେ।ପରୀକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ୁଥିବା ସହ ସୁବିଧାଜନକ ପରୀକ୍ଷା ପରିଚାଳନାକୁ ଦୃଷ୍ଟିରେ ରଖି ୟୁପିଏସସି ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ନୂଆ କେନ୍ଦ୍ର ଯୋଡ଼ାଯିବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।

