Thu. Jun 4th, 2026

ନ୍ୟୁଜ ଡେକ୍ସ : ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାକୁ ନେଇ ହାଇକୋର୍ଟରୁ ଆସିଛି ବଡ଼ ନିଷ୍ପତ୍ତି। ମାମଲାର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସମେତ ମୋଟ ୧୭ ଜଣଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ତଦନ୍ତରୁ ମିଳିଥିବା ତଥ୍ୟ ଓ ଅପରାଧର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୋର୍ଟ ଏହି ରାୟ ଦେଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ମୁନା ମହାନ୍ତି ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ପାଇଥିଲେ।

କିନ୍ତୁ ସଦ୍ୟ ଶୁଣାଣି ସମୟରେ ହାଇକୋର୍ଟ ତାଙ୍କ ସ୍ଥାୟୀ ଜାମିନ ଆବେଦନକୁ ମଧ୍ୟ ରଦ୍ଦ କରିଦେଇଛନ୍ତି। ଏହାସହ ଆଗାମୀ ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ମୁନା ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ମାମଲାର ଶୁଣାଣି ସମୟରେ ହାଇକୋର୍ଟ କଡ଼ା ମତ ପ୍ରକାଶ କରିଥିଲେ। କୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା କେବଳ ଆଇନ ଉଲ୍ଲଂଘନ ନୁହେଁ, ବରଂ ଏହା ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ ସିଧାସଳଖ କ୍ଷତିଗ୍ରସ୍ତ କରିଥାଏ। ଏଭଳି କାର୍ଯ୍ୟ ସମାଜରେ ଖରାପ ପ୍ରଭାବ ପକାଇଥାଏ ଓ ଯୁବପିଢ଼ୀଙ୍କ ମନୋବଳକୁ ଭାଙ୍ଗିଦେଇଥାଏ। ହାଇକୋର୍ଟ ଆହୁରି କହିଛନ୍ତି ଯେ, ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ଥିବାରୁ ଏହା କେବଳ ସାଧାରଣ ଅପରାଧ ନୁହେଁ। ଏହା ଏକ ଗୁରୁତର ସାମାଜିକ ଓ ଆର୍ଥିକ ଅପରାଧ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।

ଏପରି ଘଟଣା ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥାଏ ଏବଂ ସାଧାରଣ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରିଥାଏ।ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଅନେକ ପରୀକ୍ଷାର୍ଥୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତଦନ୍ତ ଆଗକୁ ବଢ଼ିବା ସହ ଅନେକ ଚମକପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ଏବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମାମଲାରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *