Wed. Jun 3rd, 2026

ନ୍ୟୁଜ ଡେକ୍ସ : ଇବୋଲା ଭୂତାଣୁ ସଂକ୍ରମଣର ବଢୁଥିବା ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ଦେଶବାସୀଙ୍କୁ ତିନିଟି ଆଫ୍ରିକୀୟ ରାଷ୍ଟ୍ରକୁ ଯାତ୍ରା ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଦେଶଗୁଡ଼ିକ ହେଲେ କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଦାନ । ଅତ୍ୟାବଶ୍ୟକ କାରଣ ନଥିଲେ ଏହିସବୁ ଦେଶକୁ ନଯିବାକୁ ସରକାର ପକ୍ଷରୁ କୁହାଯାଇଛି ।

ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ସେଠାକୁ ଯିବାକୁ ଯୋଜନା କରୁଥିବା ଭାରତୀୟମାନଙ୍କୁ ସାଧାରଣ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି ।ଏହା ପୂର୍ବରୁ ମେ ୨୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଇବୋଲା ପ୍ରଭାବିତ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବିମାନବନ୍ଦରରେ କରାଯିବାକୁ କୁହାଯାଇଥିଲା । ଯେଉଁ ଯାତ୍ରୀଙ୍କ ଠାରେ ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଯିବ, ସେମାନଙ୍କୁ ବିମାନବନ୍ଦର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ରହିଛି ।

ଇବୋଲା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛି । ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ସମଗ୍ର ବିଶ୍ୱକୁ ସତର୍କ ରହିବା ସହ ସମନ୍ୱୟ ଭାବେ କାମ କରିବାକୁ ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ।ସୂଚନା ଅନୁସାରେ, କଙ୍ଗୋରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୨୦୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି ।

Leave a Reply

Your email address will not be published. Required fields are marked *