Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫ ମେ ୨୦୨୬ ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍‌, ଭାଷାବିତ୍‌ ଓ ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି।

ଏହି ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଡକ୍ଟର ମହେନ୍ଦ୍ର ମିଶ୍ର ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଲୁପ୍ତପ୍ରାୟ ଆଦିବାସୀ ଭାଷାର ସଂରକ୍ଷଣ ଏବଂ ତାହାକୁ ଆଧୁନିକ ଶିକ୍ଷା ପ୍ରଣାଳୀ ସହ ଯୋଡିବା ପାଇଁ କାର୍ଯ୍ୟ କରୁଛନ୍ତି। ସେ ଆଦିବାସୀ ଭାଷା, ସଂସ୍କୃତି ଓ ଶିକ୍ଷାର ପ୍ରଚାର ସହ ଆଦିବାସୀ ସଂଗଠନ ଓ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇଆସୁଛନ୍ତି।ସମାରୋହରେ ୨ ଜଣଙ୍କୁ ପଦ୍ମ ବିଭୂଷଣ, ୬ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବଲିଉଡର ହିମ୍ୟାନ୍‌ ଭାବେ ପରିଚିତ ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ବେହେଲା ବାଦିକା ଓ ସଙ୍ଗୀତଜ୍ଞ ଡକ୍ଟର ଏନ୍‌. ରାଜମଙ୍କୁ ମଧ୍ୟ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି।

ସେହିପରି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ କଲ୍ଲିପଟ୍ଟି ରାମାସାମୀ ପଲାନିସ୍ୱାମୀ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶ୍ୟାରୀ, ବିଶିଷ୍ଟ ବ୍ୟାଙ୍କର ଉଦୟ କୋଟକ, କଳାକାର ଡକ୍ଟର ଆର୍‌. ଗଣେଶ, ବିଜୟ କୁମାର ମାଲହୋତ୍ରା ଓ ପୀୟୂଷ ପାଣ୍ଡେଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି।ପଦ୍ମଶ୍ରୀ ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହର୍ମନପ୍ରୀତ କୌର, ଅଭିନେତା ପ୍ରସେନଜିତ ଚାଟାର୍ଜୀ, ଅରୁଣାଚଳ ପ୍ରଦେଶର ସାମାଜିକ କର୍ମୀ ଟେଚି ଗୁବିନ୍‌, ଅରବିନ୍ଦ ବୈଦ୍ୟ, ସାମାଜିକ କର୍ମୀ ନୀଲେଶ ବିନୋଦ ଚନ୍ଦ୍ର ମଣ୍ଡେଲୱାଲା, ପାରା କ୍ରୀଡ଼ାବିତ୍‌ ପ୍ରବୀଣ କୁମାର ଏବଂ ସାହିତ୍ୟିକ ଗମ୍ଭୀର ସିଂ ୟୋଞ୍ଜୋନ୍‌ ପ୍ରମୁଖ ଅଛନ୍ତି।

Leave a Reply

Your email address will not be published. Required fields are marked *